ଭିନ୍ନ ଜୀବର ଶବକୁ ନେଇ ଧରିଲା ଚର୍ଚ୍ଚା, ସତରେ କ’ଣ ଅଛନ୍ତି ଏଲିୟନ୍?

1 min read

ମେକ୍ସିକୋ: ମେକ୍ସିକୋରେ ଏଲିୟନକୁ ନେଇ ହେବ ଗବେଷଣା । ଏ ନେଇ ସହମତି ପ୍ରକାଶ କରିଛନ୍ତି ସାଂସଦ । ବିଶ୍ବ ବ୍ରହ୍ମାଣ୍ଡରେ କେବଳ ମଣିଷ ନାହାନ୍ତି ଅଣ-ମଣିଷ ବି ବାସ କରୁଛନ୍ତି ବୋଲି କରିଛନ୍ତି ମତପ୍ରକାଶ । ମେକ୍ସିକୋର ସାମ୍ବାଦିକ ତଥା ଅଜଣା ଉଡନ୍ତା ବସ୍ତୁ ବା ୟୁଏଫଓ ସମ୍ପର୍କରେ ଦୀର୍ଘ ଗବେଷଣା କରୁଥିବା ଜେମ୍ ମୌସାନ ଏକ ଭିନ୍ନ ଜୀବର ଶବ ଦେଖାଇବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସେ କହିଛନ୍ତି ଏହି ଜୀବ ପୃଥିବୀରେ ବାସ କରନ୍ତି ନାହିଁ । ସେହି ଶବର ୩ଟି ଅଙ୍ଗୁଳ ରହିଥିବାବେଳେ ମୁଣ୍ଡଟି ଲମ୍ବାଳିଆ । ଗତ ୨୦୧୭ରେ ପେରୁର ପ୍ରାଚୀନ ନାଜକା ଲାଇନସରୁ ତାକୁ ଉଦ୍ଧାର କରାଯାଇଥିଲା । କାର୍ବନ ଡେଟିଂ ଅନୁସାରେ ତାର ବୟସ ପ୍ରାୟ ୧ ହଜାର ବର୍ଷ ।

ପ୍ରଥମ ଥର ଲାଗି ଏଭଳି ପ୍ରମାଣ ମିଳିଛି ବୋଲି କହିଛନ୍ତି ମୌସାନ । ଏହି ଅଣମାନବାକୃତ ଜୀବ ସମ୍ପର୍କରେ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ଶରୀରର ଏକ୍ସରେ, ଥ୍ରୀ-ଡି ପୁନର୍ଗଠନ ଓ ଡିଏନଏ ଆନାଲିସିସ କରାଯିବ ବୋଲି କହିଛନ୍ତି ମେକ୍ସିକୋ ନୌସେନାର ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ଜୋସ ଜେସସ ବେନିତେଜ । ପୂର୍ବରୁ ଆମେରିକାର ଜଣେ ନୌସେନା ପାଇଲଟ ରିୟାନ ଗ୍ରେଭସ ମଧ୍ୟ ଅଜ୍ଞାତ ବସ୍ତୁ ସମ୍ପର୍କରେ ଥିବା ଅନୁଭୂତିକୁ ସାଂସଦମାନଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ଏ ସମ୍ପର୍କରେ ଆମେରିକା ମହାକାଶ ବିଭାଗ ନାସା ମଧ୍ୟ ନିଜର ଅନୁସନ୍ଧାନ ଜାରି ରଖିଛି ।