ସିରିଆ ସ୍ଥିତି ସଙ୍ଗୀନ: ହଜାରେରୁ ଅଧିକ ମୃତ, ୭୪୫ ଜଣଙ୍କୁ ନିକଟରୁ ଗୁଳି କରି ହତ୍ୟା

ସିରିଆ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସିରିଆ ସ୍ଥିତି । ସିରିଆ ନିରାପତ୍ତା ବାହିନୀ ଓ ବିଦାୟୀ ରାଷ୍ଟ୍ରପତି ବସର ଅସଦ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି । ସଂଘର୍ଷରେ ହଜାରେରୁ ଅଧିକ ଲୋକଙ୍କ ପ୍ରାଣ ହରାଇଲେଣି । ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାର ପ୍ରାୟ ୧୪ ବର୍ଷ ପରେ ଏହି ହିଂସା ସବୁଠାରୁ ବଡ଼ ବୋଲି କୁହାଯାଉଛି ।

ବ୍ରିଟେନ ଭିତ୍ତିକ ସିରିଆ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି, ସଂଘର୍ଷରେ ୭୪୫ ନାଗରିକଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି । ଏହାସହ ୧୨୫ ସରକାରୀ ନିରାପତ୍ତାରକ୍ଷୀ, ଅସଦ ବାହିନୀର ୧୪୦ ଜଣ ପ୍ରାଣ ହରାଇଛନ୍ତି । ଲାଟାକିଆ ସହରରେ ବ୍ୟାପକ କ୍ଷତି ହେବା ସହ ସହରକୁ ପାଣି ଓ ବିଦ୍ୟୁତ ଯୋଗାଣ ଠପ୍ ହୋଇଛି ।

ଅସଦ କ୍ଷମତାରୁ ହଟିବାର ତିନିମାସ ପରେ ନୂଆ ସରକାର ଓ ପୂର୍ବତନ ସରକାରଙ୍କ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ସରକାର ସପକ୍ଷବାଦୀ ସୁନ୍ନୀ ମୁସଲିମ ବାହିନୀ ଏବଂ ପୂର୍ବତନ ରାଷ୍ଟ୍ରପତି ଅସଦଙ୍କ ଆଲଓ୍ବାଇଟ ବାହିନୀ ମଧ୍ୟରେ ଏହି ସଂଘର୍ଷ ଘଟିଛି । ଫଳରେ ଅସଦଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିବା ହାୟତ ତାହିରିର ଇଲ ଶାମ ବାହିନୀ ନିକଟରେ ଚାଲେଞ୍ଜ ସୃଷ୍ଟି ହୋଇଛି । ସିରିଆରେ ମୁସଲିମଙ୍କ ଭିତରୁ ସୁନ୍ନୀଙ୍କ ସଂଖ୍ୟା ୮୦ ପ୍ରତିଶତ ହୋଇଥିବାବେଳେ ସିହାଙ୍କ ସଂଖ୍ଯା ୧୪ ପ୍ରତିଶତ । ସଂଘର୍ଷ ପରେ ରାସ୍ତାଘାଟରେ ଶବ ପଡ଼ିଥିବା ଦେଖାଯାଉଛି । ପ୍ରାଣ ବିକଳରେ ଶହ ଶହ ଲୋକ ଲେବାନନ ଚାଲିଯାଉଥିବା ଦେଖିବାକୁ ମିଳିଛି ।