ଘରୁ ପାଦ କାଢ଼ିବା ପୂର୍ବରୁ ଝିଅମାନେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ…

1 min read

ଆଜିକାଲି ଦୁନିଆ ଝିଅମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି । ଆପଣ ବାପାଙ୍କର ଜଣେ ସୁନା ଝିଅ ହୋଇପାରନ୍ତି । ଭାଇର ଜଣେ ଗେହ୍ଲି ଭଉଣୀ ହେଇପାରନ୍ତି କିନ୍ତୁ ଏ ସମାଜରେ ରହୁଥିବା କିଛି ରାକ୍ଷସଙ୍କ ପାଇଁ ଆପଣ ଗୋଟେ ଗୋଟେ ଝୁଣି ଖାଇବା ମାଂସ ପିଣ୍ଡୁଳା ମାତ୍ର ।

ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ବି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ ଦୁର୍ବ୍ୟବହାର। ଏମିତିକି ନାବାଳିକା, କୁନି କୁନି ଝିଅ ବି ରାକ୍ଷସ ମାନଙ୍କ କବଳରୁ ରକ୍ଷା ପାଇପାରୁନାହାନ୍ତି।

ଏ ସବୁରୁ ନିଜକୁ ନିଜେ ରକ୍ଷା କରିବା ଶିଖନ୍ତୁ । କାରଣ ଯୁଗ ଏମିତି ଆସିଗଲାଣି, ନିଜ ସୁରକ୍ଷା ଦାୟିତ୍ୱ ନିଜେ ନେବାକୁ ପଡ଼ିବ । ମହିଳା ମାନେ ନିଜକୁ କୋମଳ ଭାବିବା ବନ୍ଦ କରନ୍ତୁ । ସମୟ ଆସିଗଲାଣି ନିଜକୁ ଶକ୍ତ ଓ ସୁଦୃଢ଼ କରି ଗଢ଼ିବା ପାଇଁ । କାରଣ ବିପଦ ସମୟରେ ଆପଣଙ୍କ ପିଠିରେ ପଡ଼ିବାକୁ କେହିନଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ ପାରିବେ ?

ପଢ଼ନ୍ତୁ ୧୦ଟି ଉପାୟ

୧. ପାଖରେ ସବୁବେଳେ ମୋବାଇଲ୍‌ ଫୋନ୍‌ ରଖନ୍ତୁ। ଆପଣଙ୍କ ଉପରେ ଆକ୍ରମଣ ହେବା ସମୟରେ ପୁଲିସ କିମ୍ବା ପରିବାର ଲୋକଙ୍କୁ ଏକଥା ଜଣାଇ ପାରିବେ। ଫୋନରେ ପୋଲିସ ଟୋଲ୍ ଫ୍ରି ନମ୍ବରକୁ ରଖନ୍ତୁ । ବିପଦ ଆଶଙ୍କା ହେବା ମାତ୍ରେ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରନ୍ତୁ । ପୋଲିସକୁ ଆଦୌ ଭୟ କରନ୍ତୁ ନାହିଁ । ଆପଣଙ୍କୁ ସୁରକ୍ଷା ଦେବା ତାଙ୍କ ଦାୟିତ୍ୱ । ଯଦି ଘର ଛାଡ଼ି ବାହାରେ ରହୁଛନ୍ତି ତେବେ ସେଇ ଜାଗା କୋଉ ଥାନା ଅଧୀନରେ ଯାଉଛି ଜାଣନ୍ତୁ ଆଉ ଥାନାର ଟେଲିଫୋନ୍ ନମ୍ବର ନିଜ ପାଖରେ ରଖନ୍ତୁ ।

୨. ଆପଣଙ୍କ ପର୍ସରେ କିଛି ଧାରୁଆ ବା ତୀକ୍ଷ୍ଣ ଜିନିଷ ନ ହେଲେ ‘ଚିଲି ସ୍ପ୍ରେ’ ବା ଲଙ୍କାଗୁଣ୍ଡ ରଖନ୍ତୁ। ଆପଣ ଏ ସବୁ ଜିନିଷ ନିଜ ପାଖରେ ରଖୁଛନ୍ତି ବୋଲି ନିଜ ବାପା ମା’, ବଡ଼ ଭାଇଙ୍କୁ ଜଣାଇ ଦିଅନ୍ତୁ । ଯଦି ଆପଣଙ୍କ ଉପରେ ଆକ୍ରମଣ ହୁଏ ତା’ହାଲେ ଅସ୍ତ୍ର ପରି ତାକୁ ବ୍ୟବହାର କରିପାରିବେ। କିନ୍ତୁ ଆପଣ ଏସବୁ ଜିନିଷର ଦୁରୁପଯୋଗ ବିଲକୁଲ୍ କରନ୍ତୁ ନାହିଁ । ଚିଲି ସ୍ପ୍ରେ ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଲାଣି। ବିଭିନ୍ନ ଭେରାଇଟି ଷ୍ଟୋରରେ ମଧ୍ୟ ମିଳୁଛି । ନିଜକୁ ନିରାପଦ ରଖିବା ପାଇଁ ଏହା ଆପଣଙ୍କ ପାଖରେ ରହିବା ଜରୁରୀ ।

୩. ଯଦି କେହି ଆପଣଙ୍କୁ ପିଛା କରୁଛି ତାହାଲେ ଆପଣ ତାକୁ ଜାଣିବାର ସୁଯୋଗ  ଦିଅନ୍ତୁ ନାହିଁ ଯେ ସେ ପିଛା କରୁଥିବା ଆପଣ ଜାଣିପାରିଛନ୍ତି। ଆଜିକାଲି ପ୍ରାୟ ଅଧିକାଂଶ ଦୋକାନରେ ସିସିଟିଭି ଲାଗୁଛି । ତାଛଡ଼ା ପାଖରେ ଅଧିକାଂଶ ଜାଗାରେ କୋଉଠି ନା କୋଉଠି ATM ରହୁଛି । ଏହିଭଳି ସ୍ଥିତିରେ ଆପଣ ସେଇ ଜାଗାକୁ ଚାଲିଯାଆନ୍ତୁ । ଏହା ଦ୍ୱାରା ସିସିଟିଭିରେ ବ୍ୟକ୍ତିଙ୍କ ଚେହେରା ରେକର୍ଡ ହୋଇଯିବ।

୪. ଯଦି ଆପଣ କୌଣସି ବିପଦ ଆଶଙ୍କା କରୁଛନ୍ତି ଓ ଏହା ଆପଣ ଆଗରୁ ଜାଣି ପାରିଛନ୍ତି। ତା’ହେଲେ ସାହସ ବାନ୍ଧି ସାମ୍ନା କରନ୍ତୁ। ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ସାହସ ଦେଖି ଡରି ଯାଇ ପାରନ୍ତି । ବିପଦକୁ ସାହସର ସହ ସାମ୍ନା କରନ୍ତୁ ।

୫.  ନିହାତି ଆବଶ୍ୟକ ନ ପଡ଼ିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ପାର୍ଟିରେ ରୁହନ୍ତୁ ନାହିଁ । ଯଦି କର୍ପୋରେଟ ବା ଅଫିସିଆଲ ବାଧ୍ୟବାଧକତା ରହୁଛି ତେବେ ସାଥୀରେ ନିଜ ବନ୍ଧୁ ବା ନିଜ ଲୋକ ସାଥିରେ ରହିବା ଦରକାର । ପାର୍ଟିରେ ଥିବା ବେଳେ ଆପଣ ଚିହ୍ନି ନଥିବା ଲୋକଙ୍କ ସହ ଆଦୌ ମିଶନ୍ତୁ ନାହିଁ କି ଅଧିକା ଗପସପ କରନ୍ତୁ ନାହିଁ। କେହି ଆପଣଙ୍କୁ ଯଦି କିଛି ପାନୀୟ ଦ୍ରବ୍ୟ ପିଇବାକୁ ଦେଉଥାନ୍ତି ତା’ ହାଲେ ତାହା କଦାପି ଗ୍ରହଣ କରନ୍ତୁ ନାହିଁ।

୬. ନିଜ ବାପା ବା ଭାଇଙ୍କୁ ଛାଡ଼ିଦେଲେ କାହା ଉପରେ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ମାନେ ଯଥାସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ । କାହାରିକୁ ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ ।  ଧ୍ୟାନ ଦିଅନ୍ତୁ ଯେ, ଖରାପ ଉଦ୍ଦେଶ୍ୟ ରଖିଥିବା ଲୋକ ହିଁ ଝିଅମାନଙ୍କ ସରଳ ବିଶ୍ୱାସର ଫାଇଦା ଉଠାନ୍ତି । ଝିଅମାନେ ସବୁ ବେଳେ ସରଳ ବିଶ୍ୱାସୀ ହେବା ଯୋଗୁଁ ହିଁ ଅସୁବିଧାରେ ପଡ଼ନ୍ତି ।

୭. କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ ଅଜଣା ବ୍ୟକ୍ତିଙ୍କ ସହ ମିଶନ୍ତୁ ନାହିଁ। ବାହାର ଜାଗାରେ ହୋଟେଲ୍‌ରେ ରହୁଥିଲେ ଭଲକରି ରୁମ୍‌କୁ ଚେକ୍‌ କରନ୍ତୁ। କାରଣ ଏମିତି ଅନେକ ହୋଟେଲ ରହିଛି ଯିଏ ରୁମରେ କ୍ୟାମେରା ରଖି ଆପଣଙ୍କୁ ପରେ ବ୍ଲାକମେଲ୍ କରିପାରନ୍ତି ।

୮.ଏବେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମରକ୍ଷା କୌଶଳ ତାଲିମ୍‌ ଦିଆଯାଉଛି। ତେଣୁ ଆତ୍ମରକ୍ଷା କୌଶଳ ନିଶ୍ଚିତ ଶିଖନ୍ତୁ। ଏହା ଦ୍ୱାରା ଆପଣ ବିପଦ ବେଳେ ତାହା ପ୍ରୟୋଗ କରିପାରିବେ। ଆତ୍ମରକ୍ଷା କୌଶଳ ଶିଖିଲେ ଯେ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ  ଆପଣଙ୍କର ସାହସ ବଢ଼ିବ ।

୯. ବିପଦସଂକୁଳ ସ୍ଥାନ ତୁରନ୍ତ ଛାଡ଼ି ଯିବାରେ ଆପଣଙ୍କୁ ଆପଣଙ୍କ ଗାଡ଼ି ହିଁ ସାହାଯ୍ୟ କରିବ । ଯଦି ଆପଣ ସ୍କୁଟି ବା ଟୁ ହୁଇଲରରେ ଯିବା ଆସିବା କରୁଛନ୍ତି ତେବେ ଆପଣଙ୍କ ତେଲ ଟାଙ୍କିରେ ସବୁବେଳେ ପର୍ଯ୍ୟାପ୍ତ ତେଲ ରଖନ୍ତୁ । ରାସ୍ତା ମଝିରେ ତେଲ ସରିଯିବା ଭଳି ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଇ-ବାଇକ୍ ବ୍ୟବହାର କରୁଛନ୍ତି ତେବେ ବିକଳ୍ପ-ବ୍ୟାଟେରୀ ଥିବା ଗାଡ଼ି ବ୍ୟବହାର କରନ୍ତୁ ।

୧୦. କ୍ୟାବ୍ କିମ୍ବା ଅଟୋରେ ଯିବା ଆସିବା କଲା ବେଳେ ସବୁବେଳେ ଗାଡ଼ି ନମ୍ବରକୁ ନଜର କରନ୍ତୁ ଆଉ ଆବଶ୍ୟକ ପଡ଼ିଲେ ନୋଟ୍ କରନ୍ତୁ ।  ଏହା ଦ୍ୱାରା ଗାଡ଼ିରେ ଆପଣଙ୍କ ସହ ଯଦି କିଛି ବି ଅଘଟଣ ଘଟିଲା ତେବେ ତୁରନ୍ତ ଗାଡ଼ି ନମ୍ବର ଦ୍ୱାରା ଅଭିଯୁକ୍ତକୁ ଗିରଫ କରାଯାଇପାରିବ ।

 

Leave a Reply