କୋଭିଡ ନିୟମ ଉଲ୍ଲଙ୍ଘନ: ଦୋକାନ ସିଲ୍ କରିବା ସହ ୬୪ ହଜାର ଟଙ୍କା ଜରିମାନା ଆଦାୟ

ବଲାଙ୍ଗୀର: କୋଭିଡ୍ ଆଇନ୍ ଉଲଙ୍ଘନ ଅଭିଯୋଗରେ ବଲାଙ୍ଗୀର ସହରରେ ୧୦ଟି ଦୋକାନକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । । ସେମାନଙ୍କ ଠାରୁ ୬୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି । ବଲାଙ୍ଗୀର ସହରରେ କୋଭିଡ୍ ସଂକ୍ରମଣ ଦିନକୁ ବଢିବାରେ ଲାଗିଛି । ବେକାବୁ ହେଉଥିବା କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ଦୁଇ ଦିନିଆ ସଟ୍‌ଡାଉନ୍ ଘୋଷଣା ପାଳନ କରାଯାଉଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ସହରରେ କୋଭିଡ୍ ଗାଇଡ୍ ଲାଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି । ବଲାଙ୍ଗୀର ତହସିଲଦାରଙ୍କ ନେତୃତ୍ୱରେ ଆଜି ଟାଉନ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରାଯାଇଛି । ସାମାଜିକ ଦୂରତା ମାନୁନଥିବା ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲଙ୍ଘନ ଅଭିଯୋଗରେ ସହରର ସମଲେଶ୍ବରୀ ମନ୍ଦିର ଛକରେ ଥିବା ରୋସନୀ ଇଲେକ୍ଟ୍ରିକାଲ୍ସ, ଶାନ୍ତି ମୋବାଇଲ୍, ଲଖାନୀ ଗାର୍ମେଣ୍ଟସ ସମେତ ମାଣିକ ତେଜରାତି ଦୋକାନ, ସମଲେଶ୍ବରୀ ଔଷଧ ଦୋକାନ ସମେତ ଦଶଟି ଦୋକାନକୁ ୭ ଦିନ ପାଇଁ ପୋଲିସ ସିଲ୍ କରିଛି । ଏହି ଦୋକାନୀମାନଙ୍କ ଠାରୁ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଦୋକାନୀଙ୍କ ବାରଣ ସତ୍ତ୍ବେ ଗ୍ରାହକମାନେ କୋଭିଡ ନିୟମ  ମାନୁନଥିବା ନେଇ ଦୋକାନ ମାଲିକ ମାନେ ପ୍ରଶାସନକୁ ଜଣାଇଛନ୍ତି । ତେବେ ଆସନ୍ତା ସାତ ଦିନ ପାଇଁ  ପ୍ରଶାସନ ପକ୍ଷରୁ ଏହି ଦୋକାନ ଗୁଡିକୁ ସିଲ୍ କରି ଦିଆଯାଇଛି । କୋଭିଡ୍ ଆଇନ ଉଲଙ୍ଘନକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ବଲାଙ୍ଗୀର ତହସିଲଦାର ମେଘବନ ବାଗ ସୂଚନା ଦେଇଛନ୍ତି ।

Leave a Reply