spot_img

Latest Posts

ଭାରସାମ୍ୟ ହରାଇ ଗଙ୍ଗାନଦୀରେ ବୁଡ଼ିଗଲା ୫ଟି ଟ୍ରକ, ୧୦ ନିଖୋଜ

କଟିହାର: ଗଙ୍ଗା ନଦୀରେ ବୁଡ଼ିଗଲା ମାଲ୍‌ବାହୀ ଭସା ପୋଲ । ଘଟଣାରେ ପାଖାପାଖି ୧୦ରୁ ଅଧକ ଲୋକ ନିଖୋଜ ହୋଇଛନ୍ତି । ମାତ୍ରାଧିକ ପଥର ଚିପ୍‌ସ୍‌ ବୋଝେଇ ହୋଇଥିବା କେତୋଟି ଟ୍ରକ୍‌କୁ ପାରି କରାଉଥିବା ଗୋଟାଏ ମାଲ୍‌ବାହୀ ଭସା ପୋଲ ଗୁରୁବାର ବିଳମ୍ବିତ ରାତିରେ ବୁଡ଼ି ଯାଇଛି । ଘଟଣାଟି ହେଉଛି ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ସମଦା ଘାଟ ଏବଂ ବିହାରର ମଣିହାରୀ କଟିହାର ମଧ୍ୟରେ ଥିବା ଗଙ୍ଗାନଦୀରେ । ଯେଉଁଠି ପୋତ ଟି ଭାରସାମ୍ୟ ହରାଇବାରୁ ଗଙ୍ଗାନଦୀ ମଝିରେ ହିଁ ବୁଡ଼ିଯାଇଛି ।

ସାହିବଗଞ୍ଜ ଡେପୁଟି କମିସନର୍‌ ରାମ ନିବାସ ଯାଦବ କହିଛନ୍ତି, ମାଲବାହୀ ପୋଲରେ ମାତ୍ରାଧିକ ବୋଝେଇ ହୋଇଥିବା ୪/୫ଟି ଟ୍ରକ୍‌ ନଈ ଭିତରକୁ ଖସିପଡ଼ିଛନ୍ତି। ଦେଓଘରରୁ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛୁ । ଏହି ଘଟଣାର ତଦନ୍ତ କରାଯିବ।

ମାଲ୍‌ବାହୀ ଭସା ପୋଲର କ୍ୟାପ୍‌ଟେନ୍‌, ଅମର ଚୌଧୁରୀ କହିଛନ୍ତି, ଗୋଟିଏ ଟ୍ରକ୍‌ର ଟାୟାର୍‌ ଫାଟି ଯିବାରୁ ମାଲ୍‌ବାହୀ ଭସା ପୋଲଟି ଟଳମଳ ହୋଇଥିଲା ଏବଂ ୫ଟି ଅତିରିକ୍ତ ବୋଝେଇ ଟ୍ରକ୍‌ ନଈରେ ପଡ଼ିଗଲେ। ଟ୍ରକ୍‌ର ଡ୍ରାଇଭର୍‌ ଏବଂ କ୍ଲିନର୍‌ମାନଙ୍କ ସମେତ ଅନ୍ୟୂନ ୧୦ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ମାଲ୍‌ବାହୀ ଭସା ପୋଲରେ ୧୮ଟି ଚିପ୍‌ସ୍‌ ବୋଝେଇ ଟ୍ରକ୍‌ ପାରି ହେଉଥିଲା ବୋଲି ଘଟଣା ପରେ ପରେ ନଈ ପହଁରି କୂଳକୁ ଉଠି ଆସିଥିବା  ମାଲ୍‌ବାହୀ ଭସା ପୋଲର ଜଣେ କର୍ମଚାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୮୮ରେ କଟିହାର ନିକଟ ଗଙ୍ଗାନଦୀରେ ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗାନଦୀରେ ଓଲଟି ପଡ଼ିବାରୁ ପ୍ରାୟ ୪୦୦ ତୀର୍ଥଯାତ୍ରୀ ବୁଡ଼ିଯାଇଥିଲେ। ୨୦୧୮ ଏବଂ ୨୦୨୦ ମଧ୍ୟ ୨ଟି ନୌକା ବୁଡ଼ି ଯିବାରୁ କେତେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

Latest Posts

Don't Miss