ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ, ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ

1 min read

ଭଦ୍ରକ: ଧାମନଗର ବ୍ୟାଟେଲ ପାଇଁ ଚାଲିଛି ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ ହୋଇଛି । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ, ସମସ୍ତ ଦଳ ଲାଗି ଉପନିର୍ବାଚନ ପାଲଟିଛି ଅଗ୍ନି ପରୀକ୍ଷା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କାଁପଡ଼ା ୭୮ ନମ୍ବର ବୁଥରେ ଭୋଟ ଦେଇଛନ୍ତି ।

ଧାମନଗର NACର ୫ ନମ୍ବର ଓ୍ବାର୍ଡ ଲାଗି ଧାମନଗର ଫିଡର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ବୁଥ ନମ୍ବର ୧୨୫ରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସୁରୁଖୁରୁରେ ଚାଲିଛି ଭୋଟିଂ । ସେହିପରି କାଁପଡା ୭୫ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରେ ବିଳମ୍ଭରେ ଆରମ୍ଭ ହୋଇଛି ଭୋଟିଂ ।

ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନରେ ଥିବା ବେଳେ, ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର ମତଦାନ କରିବେ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।