ସେତୁ ଯୋଜନାରେ ଅନ୍ତର୍ଭୁକ୍ତ ହେବ ୧୦ ପଞ୍ଚାୟତ

1 min read

ଭୁବନେଶ୍ୱର: ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡ଼ପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଚିତ୍ରକୋଣ୍ଡା ବ୍ଳକର ୯ଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ । ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ SETU ( Socio-Economic Transformation and Upliftment) ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଚଳିତ ବର୍ଷ ମାର୍ଚ୍ଚ ୨୮ରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।