ଭାରତୀୟ ରେଳବାଇ ଇତିହାସରେ ପ୍ରଥମ, ୧୦ ମାସର ଶିଶୁକନ୍ୟାକୁ ନିଯୁକ୍ତି

ରାୟପୁର: ରେଳବାଇ ଇତିହାସରେ ନୂଆ ଘଟଣା । ୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଳବାଇରେ ଚାକିରି । ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡ଼ର ଏହି ଶିଶୁର ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ମାନବିକତା ଦେଖାଇଛି ରେଳବାଇ । ଭିଲାଇରେ ରାଜେନ୍ଦ୍ର କୁମାର ଯାଦବ ନାମକ ଜଣେ ବ୍ୟକ୍ତି ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇର ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ଜୁନ ୧ରେ ପତ୍ନୀ ମଞ୍ଜୁଲତାଙ୍କ ସହ ରାଜେନ୍ଦ୍ର ଏକ ବାଇକରେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଉଭୟେ ପ୍ରାଣ ହରାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା ।

ଶିଶୁର ଭବିଷ୍ୟତ, ତାହାର ଲାଳନପାଳନ ଆଦି ନିମନ୍ତ୍ରେ ରେଳବାଇ ସହାୟତାର ହାତ ବଢ଼ାଇଥିଲା । ଏନେଇ ରେଳବାଇ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇ ଶିଶୁର ଥଇଥାନ ସଂକ୍ରାନ୍ତ ପ୍ରସ୍ତାବ ଦିଆଯାଇଥିଲା । ଶେଷରେ ଶିଶୁ କନ୍ୟାର ଲାଳନପାଳନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଜୁଲାଇ ୪ ତାରିଖରେ ନିଷ୍ପତ୍ତି ନେଇଥିଲା । ଶିଶୁଟିକୁ ୧୮ ବର୍ଷ ହେବା ଯାଏଁ ସେ ତା’ର ସମ୍ପୂର୍ଣ୍ଣ ଦରମା ପାଇବ ଏବଂ ୧୮ ବର୍ଷ ପରେ ତାକୁ ରେଳବାଇ ବିଭାଗରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ । ଭାରତୀୟ ରେଳବାଇ ଇତିହାସରେ ଏତେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ଘଟଣା ପ୍ରଥମ ବୋଲି କୁହାଯାଇଛି ।