ଓ୍ବେଷ୍ଟବ୍ୟାଙ୍କରେ ଫସିଥିବା ୧୦ ଭାରତୀୟ ନିର୍ମାଣ ଶ୍ରମିକ ଉଦ୍ଧାର

ନୂଆଦିଲ୍ଲୀ ; ଓ୍ବେଷ୍ଟବ୍ୟାଙ୍କରେ ଫସିଥିବା ୧୦ ଭାରତୀୟ ନିର୍ମାଣ ଶ୍ରମିକ ଉଦ୍ଧାର । ଏକ ଗାଁରେ ଫସିଥିବା ଶ୍ରମିକମାନଙ୍କ ପାସପୋର୍ଟ ଛଡାଇ ନିଆଯିବା କାରଣରୁ ସେମାନେ ନିରୁପାୟ ହୋଇ ଫସିରହିଥିଲେ । ତେବେ ଇସ୍ରାଏଲ ପପୁଲେସନ ଓ ଇମିଗ୍ରେସନ ଅଥରିଟିର ଉଦ୍ୟମ କ୍ରମେ ମୁକୁଳିଛନ୍ତି । କାମର ଲୋଭ ଦେଖାଇ ସେମାନଙ୍କୁ ପାଲେଷ୍ଟିନୀୟମାନେ ଓ୍ବେଷ୍ଟବ୍ୟାଙ୍କର ଏକ ଗାଁକୁ ନେଇଯାଇ ସେମାନଙ୍କ ପାସପୋର୍ଟ ଛଡାଇ ନେଇଥିଲେ । ପରେ ସେମାନଙ୍କୁ ଇସ୍ରାଏଲରେ ପ୍ରବେଶ କରାଇବା ଲାଗି ଉଦ୍ୟମ କରୁଥିଲେ । ଏହି ଶ୍ରମିକମାନେ ନିର୍ମାଣ ଶିଳ୍ପରେ କାମ କରିବା ଲାଗି ପ୍ରଥମେ ଇସ୍ରାଏଲ ଆସିଥିଲେ । ମାତ୍ର ସେମାନଙ୍କୁ ଓ୍ବେଷ୍ଟବ୍ୟାଙ୍କ ନିଆଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ ଓ ନ୍ୟାୟ ମନ୍ତ୍ରାଳୟ । ଉଦ୍ଧାର ଶ୍ରମିକମାନଙ୍କୁ ଏକ ନିରାପଦ ସ୍ଥାନରେ ରଖାଯାଇଛି । ଯୁଦ୍ଧ ପରଠାରୁ ଇସ୍ରାଏଲରୁ ହଜାର ହଜାର ପାଲେଷ୍ଟିନୀୟ ଶ୍ରମିକ ନିଜ ଅଞ୍ଚଳକୁ ଫେରିଯିବା ପରେ ୧୬ ହଜାରରୁ ଅଧିକ ଭାରତୀୟ କାମ କରିବା ଲାଗି ଇସ୍ରାଏଲ ଯାଇଥିବା ସୂଚନା ମିଳିଛି ।