ସାମ୍ୱାଦିକଙ୍କ ପାଇଁ ବୀମା ଘୋଷଣା କଲେ ସରକାର: କରୋନାରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

ହରିୟାଣା: କାର୍ଯ୍ୟରତ ସାମ୍ୱାଦିକଙ୍କ ପାଇଁ ହରିୟାଣା ସରକାରଙ୍କ ବଡ଼ ଘୋଷଣା । ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମନହୋରଲାଲ୍‌ ଖଟ୍ଟର । କରୋନାରେ ମୃତ୍ୟୁ ହେଲେ ପରିବାର ଲୋକେ ପାଇବେ ୧୦ ଲକ୍ଷ ଟଙ୍କାର ସହାୟତା । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗ ଧାଡ଼ିର କରୋନା ଯୋଦ୍ଧା ଅର୍ଥାତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା ହୋଇଥିବା ବେଳେ ହରିୟାଣା ସରକାର ପ୍ରଥମ ରାଜ୍ୟଭାବେ ସାମ୍ୱାଦିକଙ୍କ ପାଇଁ ବୀମା ଘୋଷଣା କରିଛନ୍ତି । ଗତ କିଛି ଦିନ ପୂର୍ବେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ କିଛି ସାମ୍ୱାଦିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ମୁମ୍ୱାଇର ପ୍ରାୟ ୫୦ ଓ ଚେନ୍ନାଇର ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଭଳି ପରିସ୍ଥିତି ସରକାରଙ୍କ ଏହି ଘୋଷଣା ସାମ୍ୱାଦିକଙ୍କୁ କିଛିଟା ଆଶ୍ୱସ୍ତ କରିଛି ।

ଅପରପକ୍ଷରେ ଦିଲ୍ଲୀରେ ସାମ୍ୱାଦିକମାନଙ୍କ କୋଭିଡ ଟେଷ୍ଟ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ୱାଲ । ଏହାପରେ ବୁଧବାରଠାରୁ ଦିଲ୍ଲୀରେ ସାମ୍ୱାଦିକମାନଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଏଥିସହିତ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ଘୋଷଣା ହୋଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସାମ୍ୱାଦିକମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ସାମ୍ୱାଦିକମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଆବଶ୍ୟକ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଜଣେ ଜଣେ ଜରୁରୀକାଳୀନ ସେବା କର୍ମଚାରୀ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply