ଭୟଙ୍କର ହେଉଛି ବ୍ରହ୍ମପୁତ୍ର, ଆସାମରେ ମଲେଣି ୧୦

ଗୌହାଟୀ: ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଧରାଶାୟୀ ଆସାମ  । ପ୍ରାକ ମୌସୁମୀ ବର୍ଷା ଯୋଗୁଁ ଆସାମରେ ୧୦ ଜଣ ପ୍ରାଣ ହରାଇଲେଣି  । ସେହିପରି ୭ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ ହୋଇଥିବା ସୂଚନା  ।

ବନ୍ୟା ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଫଳରେ ଗୌହାଟୀ ସମେତ ଅନ୍ୟାନ୍ୟ ଭାଗରେ ସହର ଓ ଗ୍ରାମ ଜଳାର୍ଣ୍ଣବ ହୋଇଛି । ୩ ଦିନ ଲଗାଣ ବର୍ଷାରେ ଆସାମ ଦେଇ ବହିଯାଇଥିବା ବିଶ୍ବର ସର୍ବବୃହତ ନଦୀ ବ୍ରହ୍ମପୁତ୍ର ଜଳ ଗାଁ  ଭିତରେ ପ୍ରବେଶ କରିଛି  । ଏଥିଯୋଗୁଁ ୧୯୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି ।

ଆଗାମୀ ୨ ଦିନ ଆହୁରି ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି  । ପ୍ରତି ଘଣ୍ଟାରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି  । ଗତ ୩ ଦିନ ମଧ୍ୟରେ ସାତ ଜଣ ଭାସିଯାଇଥିବା ଜଳ ସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ବ୍ରହ୍ମପୁତ୍ରର ଜଳସ୍ତର ବଢିବାରେ ଲାଗିଛି  ।

ହୋଜାଇ ଜିଲ୍ଲାରେ ଫସିଥିବା ୨୦୦୦ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି  ।