ମିର୍ଜାପୁରରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କାରେ ଗଲା ୧୦ ଅମୂଲ୍ୟ ଜୀବନ

ମିର୍ଜାପୁର: ଉତ୍ତର ପ୍ରଦେଶ ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କାରେ ୧୦ ଅମୂଲ୍ୟ ଜୀବନ। ୩ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ଥିବାରୁ ଗୁରୁତରଙ୍କୁ ବାରାଣସୀ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରରେ ସମୁଦାୟ ୧୩ ଜଣ ଥିଲେ। ସେମାନେ ଶ୍ରମିକ ଭାବେ କାମ କରୁଥିବାବେଳେ ପାଖ ଗାଁରୁ କାମ ସାରି ଘରକୁ ଫେରୁଥିଲେ।

ବିପରୀତ ଦିଗରୁ ଆସୁଥିବା ଟ୍ରକ୍ଟ ଟ୍ରାକ୍ଟରକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଘଟଣା ପରେ ଦୁର୍ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।

ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ବୁଝାସୁଝା ପରେ ଧାରଣାରୁ ଉଠିଥିଲେ ଲୋକେ। ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ।