ଇନ୍ଦୋରରେ ବିଷାକ୍ତ ପାନୀୟ ଜଳ ପ୍ରସଙ୍ଗ। ଘଟଣାରେ ମୃତକଙ୍କ ସଂଖ୍ୟା ୧୦ ହୋଇଥିବା ବେଳେ ୧୫୦୦ରୁ ଅଧିକ ଅସୁସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେଣେ ଇନ୍ଦୋର ମହାନଗର ନିଗମ କମିଶନର ଦିଲୀପ କୁମାର ଯାଦବଙ୍କୁ ପଦରୁ ହଟାଇଛନ୍ତି ମଧ୍ୟପ୍ରଦେଶ ସରକାର। ଏହା ସହ ଅତିରିକ୍ତ କମିଶନର ରୋହିତ ସିସୋନିୟାଙ୍କୁ ସସପେଣ୍ଡ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଦୁବେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି। ତେଣେ ଭାଗୀରଥିପୁରାରେ ଡାଇରିଆ ବ୍ୟାପିବ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପାନୀୟ ଜଳର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦିଆଯାଉଛି। ଇନ୍ଦୋର ହେଉଛି ଦେଶର ସବୁଠୁ ସ୍ଵଚ୍ଛ ସହର। ହେଲେ ଏହି ସହରର ପାଣି ସମସ୍ୟା ଚିନ୍ତାର କାରଣ ହୋଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ତିନି ଜଣିଆ କମିଟି ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହାଇକୋର୍ଟ ମଧ୍ୟ ସରକାରଙ୍କୁ କଡ଼ା ଟିପ୍ପଣୀ କରିଛନ୍ତି । ପ୍ରଭାବିତଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

