ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମ
ବାଲେଶ୍ୱର: ବାହାନଗାରେ ଲୌହ ଦାନବର ନରସଂହାର । ଶୋକର ବୁଡିଛି ସାରା ଅଞ୍ଚଳ । ୧୦ ଦିନ ପରେ ବି ମନରୁ ଲିଭୁନି ସେହି କାଳ ରାତିର ଦୃଶ୍ୟ । ଶବର ପାହାଡ଼ ଉପରେ କରମଣ୍ଡଳ ଲେଖିଥିଲା ଦୁଃଖଦ ଅଧ୍ୟାୟ । ଅନେକଙ୍କୁ କରିଦେଲା ଅନାଥ । ମୃତକଙ୍କ ଆତ୍ମାର ସଦଗତି ପାଇଁ ବାହାନଗାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗୋସାଇଁ ପୋଖରୀରେ ସାମୂହିକ ମୁଣ୍ଡନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଲୋକେ । କାର୍ଯ୍ୟକ୍ରମରେ ବାହାନଗା, ସୋର ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା, ସ୍ବେଚ୍ଛାକୃତ ଭାବରେ ଜଣକ ପରେ ଜଣେ ଆସି ମୁଣ୍ଡନ ହୋଇଛନ୍ତି ।
ଯେଉଁମାନେ ମୁଣ୍ଡନ ହେଉଛନ୍ତି ସେମାନଙ୍କୁ ନୂଆଲୁଗା, ମାଳ, ପରିଧାନ କରିବା ପାଇଁ ସଂଘଠନ ପକ୍ଷରୁ ଯୋଗାଇ ଦିଆ ଯାଇଛି । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି, ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାସିନ୍ଦା । ଆସନ୍ତାକାଲି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେବ ବିଶ୍ବଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ମଙ୍ଗଳବାର ସକାଳେ କଳସ ଶୋଭାଯାତ୍ରା କରାଯିବ । ଆଗାମୀ ଦିନରେ ଏପରି କାଳ ରାତି ଆଉ କେବେ ନଆସୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।