ପ୍ରତିଶୋଧ ପରାୟଣ ହୋଇ ୧୦ଜଣଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ
1 min readକୋଲକାତା: ରାଜନୈତିକ ହିଂସାରେ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି ୧୦ଜଣ । ପ୍ରତିଶୋଧ ନେବାକୁ ଯାଇ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଘଟଣାଟି ହେଉଛି ପଶ୍ଚିମବଙ୍ଗ ବୀରଭୂମ ରାମପୁରର ଯେଉଁଠି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ହିଂସା ହୋଇଛି । ଏବଂ ହିଂସାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କୁ ଜୀଅନ୍ତା ଜଳାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ବୀରଭୂମ ରାମପୁର ହାଟ ୧ ନମ୍ୱର ବ୍ଲକ୍ ବଡ଼ସାଲ ଗ୍ରାମ ଉପ-ପଞ୍ଚାୟତ ପ୍ରଧାନ ଭାଦୁ ଶେଖଙ୍କ ଉପରେ ବୋମା ମାଡ଼ କରିିଥିଲେ । ଗତକାଲି ରାତିରେ ତାଙ୍କ ଘର ନିକଟ ଦୋକାନରେ ଚା’ ପିଉ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ଦୁଇଟି ମୋଟର ସାଇକେଲରେ ଆସି ଅଚାନକ ବୋମାମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଭାଦୁ ଶେଖଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ଶେଖଙ୍କ ସମର୍ଥକ ।
ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ମୃତ ଉପ-ପଞ୍ଚାୟତ ପ୍ରଧାନ ଭାଦୁ ଶେଖଙ୍କ ସମର୍ଥକମାନେ ଗାଁରେ ଅନ୍ୟମାନଙ୍କ ଘର ପୋଡ଼ି ଦେଇଥିଲେ । ନିଆଁରେ ୧୦ ଜଣ ପୋଡି ହୋଇ ପ୍ରାଣ ହରାଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଜଳି ପାଉଁଶ ହୋଇଯାଇଥିବାରୁ ପୋଲିସ ମୃତଦେହକୁ ଉଦ୍ଧାର କରି ପାରିନଥିଲେ । ସେପଟେ ଭାଦୁଙ୍କୁ ହତ୍ୟା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।