ଜାମ୍ମୁ ଓ କାଶ୍ମୀର ରାମବନରେ ୩୬ ଘଣ୍ଟାର ରେସକ୍ୟୁ ଅପରେସନ ଶେଷ, ଫସିଥିବା ୧୦ ଶ୍ରମିକଙ୍କ ମୃତଦେହ ଉଦ୍ଧାର

1 min read

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ରାମବନରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣା । ପ୍ରାୟ ୩୬ ଘଣ୍ଟାର ରେସକ୍ୟୁ ଅପରେସନର ଦୁଃଖଦ ଅନ୍ତ । ଉଦ୍ଧାର ହୋଇଛି ୧୦ ଶ୍ରମିକଙ୍କ ମୃତଦେହ । ଶ୍ରୀନଗର-ଜାମ୍ମୁ ରାଜପଥ ଅନ୍ତର୍ଗତ ଖୁନୀ ନାଳରେ ଏହି ଟନେଲ ନିର୍ମାଣ ଚାଲିଥିବା ବେଳେ ଅକସ୍ମାତ ଏହା ଭୁଶୁଡ଼ି ପଡ଼ିଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ଏନଡିଆରଏଫ ନିୟୋଜିତ ହୋଇଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୫ ଜଣ, ନେପାଳର ୨ ଜଣ, ଆସାମର ଜଣେ ଓ ଜାମ୍ମୁ ଓ କାଶ୍ମୀରର ୨ ଜଣ ।

ବାରମ୍ବାର ଭୂସ୍ଖଳନ ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶ କ୍ରମେ ନିର୍ମାଣକାରୀ କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାସହ ରିଲିଫ ଫଣ୍ଡରୁ ପ୍ରତି ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଦିଆଯିବ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି । ରାମବନ ପୋଲିସ ଏସପି ମୋହିତ ଶର୍ମା କହିଛନ୍ତି, ଏହି ଘଟଣାରେ କମ୍ପାନିର ଅବହେଳା ନେଇ ଏକ ମାମଲା ରୁଜୁ ହୋଇଛି । ରାମବନ ଜିଲ୍ଲାପାଳ ମସରତ ଉଲ ଇସଲାମ କହିଛନ୍ତି, ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।