କରୋନା କଟକଣାକୁ ବର୍ଷେ ପୂରିଲା,କିନ୍ତୁ ଆତଙ୍କ ଯେମିତି ଥିଲା ସେମିତି ଅଛି

1 min read

ଭୁବନେଶ୍ୱର: ଆଜିର ଦିନ ୨୦୨୦ । ଠିକ୍ ବର୍ଷକ ତଳେ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଦେଶର କୌଣସି ରାଜ୍ୟ କରୋନାର ଭୟାବହତାକୁ ବୁଝିବା ପୂର୍ବରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ ।

ମାର୍ଚ୍ଚ ୧୩,୨୦୨୦ରେ ରାଜ୍ୟର ସମସ୍ତ ସିନେମା ହଲ,ସୁଇମିଂ ପୁଲ ଓ ଜିମ୍ ତଥା ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ସରକାର । ଏହାପରେ ଆସିଥିଲା ଲକଡାଉନ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲକଡାଉନ୍ ଘୋଷଣା ହୋଇଥିଲା । ଯାହାକୁ ପରେ କେନ୍ଦ୍ର ସରକାର ଅନୁସରଣ କରିଥିଲେ । ଦେଶବ୍ୟାପୀ ଲକଡାଉନ୍ ଘୋଷଣା ପୂର୍ବରୁ ଓଡ଼ିଶାର ୫ଟି ଜିଲ୍ଲାରେ ଲାଗୁ ହୋଇଥିଲା ଲକଡାଉନ୍ । ୫ ଜିଲ୍ଲା ସହିତ ରାଜ୍ୟର ୮ ବଡ ସହରରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଥିଲା । ଏହି ଲକଡାଉନ୍ କାଳରେ ସାଧାରଣ ପରିବହନ ସେବା,ଦୋକାନ ବଜାର,ଅଫିସ,କାରଖାନା ବନ୍ଦ ରହିଥିଲା ।

ଦେଶବ୍ୟାପି ଲକଡାଉନ୍ କାଳରେ ଓଡ଼ିଶାରେ ଲକଡାଉନକୁ ପୁଣିଥରେ ବଢା ଯାଇଥିଲା । ମାର୍ଚ୍ଚ ୨୪ ତାରିଖରେ ରାଜ୍ୟ ସରକାର ଲକଡାଉନକୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେତେବଳେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିଲା । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ପୂରା ଦେଶ ତାଲବନ୍ଦ ଥିଲା । କିନ୍ତୁ କରୋନା ବେକାବୁ ଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଥିଲେ । କିନ୍ତୁ ଏହାପୂର୍ବରୁ ହିଁ ରାଜ୍ୟ ସରକାର ଏପ୍ରିଲ ୧୪ରେ ଲକଡାଉନ୍ ଉଠିବ ନାହିଁ ବୋଲି ଘୋଷଣା କରି ସାରିଥିଲେ । ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଥିଲେ ।

କରୋନା ବିରୋଧରେ ପ୍ରୋଆକ୍ଟିଭ ଥିଲେ ରାଜ୍ୟ ସରକାର । ମାର୍ଚ୍ଚ ଆରମ୍ଭରୁ ହିଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ମାର୍ଚ୍ଚ ୧୮ ତାରିଖ ଦିନ ସରକାର ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ଜାରି କରିଥିଲେ । ଯାହାର ଅବଧି ଗୋଟିଏ ବର୍ଷ ଥିଲା । ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରେଗୁଲେସନରେ କୁହାଯାଇଥିଲା ।

ପ୍ରବାସୀ ଚିନ୍ତା
ଏହି ସମୟରେ ବିଦେଶରୁ ଆସୁଥିବା ଲୋକ ରାଜ୍ୟ ସରକାରଙ୍କ ପାଇଁ ବଡ ଚିନ୍ତା ଥିଲେ । ବିଦେଶରୁ ଆସୁଥିବା ବ୍ୟକ୍ତି କୋଭିଡ୍ ପୋର୍ଟାଲରେ ୨୪ ଘଣ୍ଟାରେ ନିଜ ନାମ ପଂଜିକରଣ କରିବାକୁ କୁହାଯାଇଥିଲା । ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ କୁହାଯାଇଥିଲା । ନାମ ପଂଜିକରଣ ଓ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ସରକାର ୧୫ ହଜାର ଟଙ୍କାର ଇନସେଣ୍ଟିଭ୍ ମଧ୍ୟ ଦେଇଥିଲେ ।
ଏହା ସହିତ ଜେଲରେ ଭିଡ କମାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଗଣମାଧ୍ୟମ ପାଇଁ ମଧ୍ୟ ଗାଇଡଲାଇନ୍ ଜାରି ହୋଇଥିଲା । ଏହି ଗାଇଡ୍ ଲାଇନ୍ ଅନୁସାରେ କରୋନା ସଂକ୍ରମିତ,ସେମାନଙ୍କ ପରିବାରବର୍ଗ କିମ୍ବା ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସାକ୍ଷାତକାର ନନେବାକୁ ଏଥିରେ କୁହାଯାଇଥିଲା ।

କରୋନା ବାବଦରେ ସାଧାରଣ ଲୋକଙ୍କୁ ସୂଚିତ ଓ ସଚେତନ କରିବା ପାଇଁ ଦୈନିକ ବୁଲେଟିନ୍ ମଧ୍ୟ ଜାରି ହୋଇଥିଲା ବର୍ଷକ ପରେ କରୋନାର ପ୍ରକୋପ କିଛି ଦିନ ପାଇଁ କମିଥିଲା । କିନ୍ତୁ ଏବେ ଏହା ଦେଶରେ ପୁଣିଥରେ କମ୍ ବ୍ୟାକ୍ କରୁଥିବା ଭଳି ଲାଗୁଛି । ମହାରାଷ୍ଟ୍ର ଭଳି ରାଜ୍ୟର କିଛି ସହରରେ ମାର୍ଚ୍ଚ ମାସରେ ପୁଣିଥରେ ଲକଡାଉନ୍ ଲାଗୁ ହୋଇଛି । ଏମିତିରେ କରୋନା ଚାଲିଗଲା ବୋଲି ଭାବିବା ମାରାତ୍ମକ ଭୁଲ ହେବ । ବର୍ଷକ ପରେ ମଧ୍ୟ କରୋନାର ଆତଙ୍କ ସେମିତି ରହିଛି । ଆତଙ୍କ ଓ ବିପଦ ମଧ୍ୟରେ ରହିଛି ସତର୍କତାର ପତଳା ଗାର । ସତର୍କ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ

Leave a Reply