ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ନିଆଯାଉଛି ପଦକ୍ଷେପ: ମୁଖ୍ୟ ଶାସନ ସଚିବ

1 min read

ଭୁବନେଶ୍ୱର: ଲକ୍ ଡାଉନ ହେବା ପରେ ବହୁତ ଲୋକ ଅନ୍ୟ ରାଜ୍ୟରେ ଫସିଛନ୍ତି । କାମ ଓ ଯିବାଆସିବା ବନ୍ଦ ହୋଇ ଯାଇଥିବାରୁ ସେମାନେ ସେଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏବେ କେହି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ । ଫଳରେ କେହି ଘରକୁ ଫେରି ପାରିବେ ନାହିଁ । ଏବଂ ସଂକ୍ରମଣ ବ୍ୟାପିବା ଭୟ ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

ସମସ୍ତ ରାଜ୍ୟକୁ ଏଥିପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ଫସିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସେମାନେ ଖାଇବା ପିଇବା ଦେବେ । ସେଥିପାଇଁ ରିଲିଫ୍ କୋଡର ଜିଆର୍ ଅନୁସାରେ ଅର୍ଥ ଖର୍ଚ୍ଚ କରାଯିବ । କରୋନା ସଂକ୍ରମଣ ରୋକିବାକୁ ଅନ୍ୟ ରାଜ୍ୟରୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରଦେଶ ପାଇଁ ବରିଷ୍ଠ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଏଥିସହ ଗୃହ ବିଭାଗ ପକ୍ଷରୁ ୦୬୭୪-୨୩୯୨୧୧୫ କଲ୍ ସେଣ୍ଟର ଖୋଲା ରହିଛି । ଆମେ ଏ ପର୍ଯ୍ୟନ୍ତ ୧୮୬୦ଟି କଲ୍ ରାଜ୍ୟ ବାହାରୁ ପାଇଛୁ । ୫ଟି ରାଜ୍ୟ ଗୁଜରାଟ, ତେଲଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡ଼ୁରୁ ଅଧିକ କଲ୍ ଆସୁଛି । ଅନ୍ୟ ରାଜ୍ୟରେ ଯାଜପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଆଦି ୫ଟି ଜିଲ୍ଲାର ଅଧିକାଂଶ ଲୋକ ଫସି ରହିଛନ୍ତି ।

ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀଙ୍କୁ ଅନ୍ୟ ରାଜ୍ୟ ସରକାରଙ୍କ ସହାୟତାରେ ସହାୟତା ଯୋଗାଇ ଦେବୁ । ପାଖାପାଖି ଲକ୍ଷେ ଓଡ଼ିଆ ଅନ୍ୟ ରାଜ୍ୟରେ ଫସିଛନ୍ତି । ଏଥିରେ ପ୍ରାୟ ୧୫ ହଜାର ଶ୍ରମିକ ଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେମାନଙ୍କୁ ଆଣିବା ପାଇଁ ରାଜ୍ୟରୁ କୌଣସି ଟିମ୍ ଯିବ ନାହିଁ ବରଂ ସେଠାକାର ସରକାରଙ୍କ ସହାୟତାରେ ସେମାନଙ୍କ ଖାଇବା ପିଇବା ଓ ରହିବା ଦାୟିତ୍ୱ ତୁଲାଯିବ ।

Leave a Reply