ଶ୍ରୀଲଙ୍କାରେ ଜଳୁଛି ଅସନ୍ତୋଷର ନିଆଁ, ରାମ୍ବୁକ୍କାନାରେ ପୋଲିସ ଗୁଳିରେ ଜଣ ଆନ୍ଦୋଳନକାରୀ ମୃତ

କଲମ୍ବୋ: ଗୁରୁତର ଆର୍ଥିକ ସଂକଟ ଭିତରେ ଅସନ୍ତୋଷର ନିଆଁ । ଶ୍ରୀଲଙ୍କାର ରାମ୍ବୁକ୍କାନାରେ ସ୍ଥିତି ଅସମ୍ଭାଳ ହେବାରୁ ସେଠାରେ ଜାରି କରାଯାଇଛି କର୍ଫ୍ୟୁ । ଆନ୍ଦୋଳନରତ ନାଗରିକଙ୍କ ଉପରେ ପୋଲିସ ଗୁଳି ଚାଳନା କରିଛି । ଯାହା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୨୪ ଜଣ ଆହତ ହେବା ପରେ ସ୍ଥିତି ସାଂଘାତିକ ହୋଇଛି । ହଜାର ହଜାର ଲୋକ ରାଜରାସ୍ତାକୁ ଆସି ଟାୟାର ଜଳାଇବା ସହ ପ୍ରମୁଖ ରାସ୍ତାଗୁଡିକୁ କବଜା କରିଛନ୍ତି । ଶ୍ରୀଲଙ୍କାରେ ସେବାରତ ଭାରତୀୟ ତୈଳ କମ୍ପାନୀ ତୈଳ ଦର ୬୫ ପ୍ରତିଶତ ବଢ଼ାଇବା ପରେ ଉତ୍ତେଜନା ତୀବ୍ର ହୋଇଥିଲା ।

ସେପଟେ ଜରୁରୀ ଆର୍ଥିକ ସହାୟତା ଲାଗି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମଏଫ ନିକଟରେ ଶ୍ରୀଲଙ୍କା ସରକାର ଅନୁରୋଧ କରିଛନ୍ତି । ଆମେରିକା ଗସ୍ତରେ ଯାଇଥିବା ଅର୍ଥ ମନ୍ତ୍ରୀ ଅଲ୍ଲି ସାବ୍ରିଙ୍କ ନେତୃତ୍ବାଧୀନ ପ୍ରତିନିଧି ମଣ୍ଡଳୀ ଏହି ସହାୟତା ଅନୁରୋଧ କରିଛନ୍ତି । ସେମାନେ ଆଇଏମଏଫ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜିଓର୍ଜିଭାଙ୍କୁ ଓ୍ବାଶିଂଟନରେ ଭେଟି ଜରୁରୀ ଆର୍ଥିକ ବ୍ୟବସ୍ଥା ବା ଆରଏଫଆଇ ଜରିଆରେ ସହାୟତା ଲାଗି ଆଲୋଚନା କରିଛନ୍ତି । ସଙ୍କଟଗ୍ରସ୍ତ ତଥା ଆଇଏମଏଫର ସଦସ୍ୟ ଭୁକ୍ତ ରାଷ୍ଟ୍ରକୁ ଆରଏଫଆଇ ଜରିଆରେ ସହାୟତା କରିବା ଲାଗି ଆଇଏମଏଫରେ ବ୍ୟବସ୍ଥା ରହିଛି । ଶ୍ରୀଲଙ୍କା ସରକାର ଆଇଏମଏଫ ନିକଟରେ ୪ ବିଲିୟନ ଡଲାର ସହାୟତା ଲାଗି ଅନୁରୋଧ କରିଛନ୍ତି । ଆରଏଫଆଇ ଜରିଆରେ ଶ୍ରୀଲଙ୍କାକୁ ସହାୟତା କରିବା ଲାଗି ମଧ୍ୟ ଭାରତ ଆଇଏମଏଫକୁ ଅନୁରୋଧ କରିଛି ।