ଆତଙ୍କବାଦି ଆକ୍ରମଣ ଯୋଜନା ପଣ୍ଡ, ୧ କେଜି ଆଇଇଡି ଜବତ

ଚଣ୍ଡିଗଡ଼: ବିଫଳ ହେଲା ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର । ଆଇଇଡି ବିସ୍ଫୋରକ ଜବତ କଲା ପୋଲିସ । ହରିୟାଣାର କୈଥଲରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ବିଫଳ ହୋଇଛି । ଏକ ଲୁହା ବାକ୍ସରୁ ଏକ କେଜି ଆଇଇଡି ଜବତ କରିଛି ପୋଲିସ । ବମ ନିରୋଧକ ଟିମ୍ ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି । ତେବେ ଏହି ଆଇଇଡି କିଏ ରଖିଥିଲା ଏବେ କେଉଁ ଉଦ୍ଦେଶ୍ୟରେ ତାର ତଦନ୍ତ ଚାଲିଛି । ଅନୁମାନ କରାଯାଉଛି ଯେ ବଡ଼ଧରଣର ଆତଙ୍କୀ ଆକ୍ରମଣ କରିବାର ଯୋଜନା ହେଉଥିଲା ।

ହରିୟାଣା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ଏହାର ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ କହିଛି ଯେ, ଆଇଇଡି ଆରଡିଏକ୍ସରେ ଭରି ରହିଥିଲା ଏବଂ ଜିନ୍ଦ ରୋଡରେ କାଞ୍ଚି ଚୌକର ଏକ ଗାଁର ରାସ୍ତା କଡ଼ରୁ ଜବତ କରାଯାଇଛି । ସୂଚନାଥାଉକି ଗତ ମାସରେ କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ପାଖ ଏକ ସ୍ଥାନରୁ ପ୍ରାୟ ୧.୩ କେଜି ଆରଡିଏକ୍ସ ସହ ଭରିରହିଥିବା ଆଇଇଡି ଜବତ କରାଯାଇଥିଲା ।