ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧କୋଟି ୮୫ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ । ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଭିଯୋଗ ଅନୁସାରେ ୩ ଦିନ ଧରି ଆଇସିଆଇସିଆଇ ବ୍ୟାଙ୍କ ଛେଣ୍ଡିପଦା ଶାଖାରେ ଅଡିଟ ଚାଲିଥିଲା । ଏହି ସମୟରେ ୧କୋଟି ୮୫ଲକ୍ଷ ୫୦ହଜାର ଟଙ୍କାର ହିସାବ ମିଳିନଥିଲା ।

ଏନେଇ ଅଡିଟର୍ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବ୍ୟାଙ୍କର ଆରଏଚ ଛେଣ୍ଡିପଦା ଶାଖାକୁ ଆସି ତଦନ୍ତ କରିଥିଲେ । ଟଙ୍କା ହେରଫେରରେ କର୍ମଚାରୀ ଆକାଶ ଭାରତୀଙ୍କର ସଂପୃକ୍ତି ଥିବାନେଇ ଥାନାରେ ଅଭିଯୋଗ ପରେ ଆକାଶଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ବ୍ୟାଙ୍କକୁ ଡିପୋଜିଟ ପାଇଁ ଆସୁଥିବା ଟଙ୍କାକୁ ଆକାଶ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।