ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ଶ୍ରୀମନ୍ଦିର ପ୍ରଶାସନ ନିଜେ କରିଛି ଅକ୍ଷମଣୀୟ ତ୍ରୁଟି। ୨୦୨୬ କ୍ୟାଲେଣ୍ଡରରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନିତ କରାଯାଇଛି ସେଥିରେ ଗୁରୁତର ତ୍ରୁଟି ଥିବା ପରିଲକ୍ଷିତ କରାଯାଉଛି। ଆଉ ସବୁଠୁ ବଡ଼ କଥା ହେଲା ଏହି ତ୍ରୁଟି ପୂର୍ଣ୍ଣ କ୍ୟାଲେଣ୍ଡରକୁ ନିଜେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଯାହା ରାଜ୍ୟପାଳ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଉପହାର ଦିଆଯାଇଥିଲା। ଆଉ ଏଥିରେ ତ୍ରୁଟି ହେଈଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି।
ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡର ରେ ଏଭଳି ତ୍ରୁଟି କୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି। କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡର ରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର କୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି।ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

