କୁଲୁ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷା ଅଧିକାରୀ କୁଲୁ ଏସପିଙ୍କୁ ଗୋଇଠା ମାରିବା ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା ଖୋଦ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହୋଇଥିଲା । ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ହିମାଚଳ ପ୍ରଶସାନ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କୁଲୁ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଏମ ସେଠାରେ ଥିଲେ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ୍ କୁଲୁ ଏସପି ଗୌରବ ସିଂହଙ୍କୁ ଗୋଇଠା ମାରିଥିଲେ । ଯାହାକୁ ନେଇ କୁଲୁ ପୋଲିସ ଓ ସିଏମଙ୍କ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ ।
ଉଭୟ ପକ୍ଷ ଘଟଣା ପାଇଁ ଅପର ପକ୍ଷକୁ ଦାୟୀ କରୁଛନ୍ତି । ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ୍ ଏସପି ବ୍ରୁଜେସ ସୁଦଙ୍କୁ କୁଲୁ ଏସପି କୌଣସି କାରଣରୁ ଚାପୁଡା ମାରିଥିଲେ । ଯାହାର ଉତ୍ତରରେ ସୁଦ୍ ଗୌରବଙ୍କୁ ଗୋଇଠା ମାରିଥିଲେ । ଗୌରବଙ୍କ ଅଭିଯୋଗ ଯେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ତାଙ୍କ ସହିତ ଅଭଦ୍ରାମୀ କରିଥିଲେ ।

