spot_img

Latest Posts

ସୌରଶକ୍ତିରେ ଚାଲିବ ସବୁ ସରକାରୀ ଅଫିସ

ନନ୍ଦିଘୋଷ ବ୍ୟୁରୋ: ସବୁ ସରକାରୀ ଅଫିସ ସୌରଶକ୍ତିରେ ଚାଲିବ । ଶକ୍ତି ବିଭାଗ ଏହି ନିଷ୍ପତ୍ତି ନେଇଛି । ସରକାରୀ କୋଠା ଚିହ୍ନଟ କରି ସମ୍ପୃକ୍ତ କୋଠା ପାଇଁ କେତେ ବିଦ୍ୟୁତ୍ ଶକ୍ତି ଆବଶ୍ୟକ, ସେ ନେଇ ପ୍ରାକ୍‌ ଆକଳନ କରାଯିବ । ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ବିନିଯୋଗରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ପାଇଁ ରାଜ୍ଯ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ପଦକ୍ଷେପକୁ ବିଦ୍ୟୁତ ମହାସଂଘ ପ୍ରଶଂସା କରିଛି ।

ଅଙ୍ଗାର ହ୍ରାସ କରି ଅକ୍ଷୟ ଶକ୍ତିର ବିକାଶ । ଆଉ ପାଦେ ଆଗକୁ ଗଲେ ଓଡ଼ିଶା ସରକାର । ସମସ୍ତ ସରକାରୀ ଅଫିସ  ସୌରଶକ୍ତି ବ୍ୟବହାର କରିବେ । ଏଥିପାଇଁ ସରକାରୀ ଅଫିସର ଛାତରେ ୨୫ ବର୍ଷ ପାଇଁ ଉତ୍ପାଦନ ହୋଇପାରୁଥିବା ସୌରଶକ୍ତି ଭିତ୍ତିଭୂମି ନିର୍ମାଣ କରାଯିବ । ଏନେଇ ଶକ୍ତି ବିଭାଗ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛି । ଓଡ଼ିଶା ସରକାର ସ୍ବତନ୍ତ୍ର ଅକ୍ଷୟ ଶକ୍ତି ନୀତି ପ୍ରସ୍ତୁତ କରିଛନ୍ତି । ସୌରଶକ୍ତି ସମେତ ପବନ ଚାଳିତ ଶକ୍ତିଉତ୍ସରୁ ଶକ୍ତି ଉତ୍ପାଦନ କରାଯିବ । ଚାରିଟି ବିଗିନ୍‌ସ ଆଟ୍‌ ହୋମ ନ୍ୟାୟରେ ସରକାର ନିଜେ ଆଗ ଭିତ୍ତିଭୂମି ଉପଯୋଗ କରି ଲୋକଙ୍କୁ ସଚେତନ କରିବେ । ଏଥିପାଇଁ ଓରେଡା ଓ ଟାଟା ପାଓ୍ବାରକୁ ଶକ୍ତି ବିଭାଗ ଦାୟିତ୍ବ ଦେଇଛି । ପ୍ରାଥମିକ ପର୍ଯ୍ୟାୟରେ ସରକାରୀ କୋଠାଗୁଡ଼ିକ ଚିହ୍ନଟ କରି ସମ୍ପୃକ୍ତ କୋଠାରେ କେତେ ବିଦ୍ୟୁତ ଶକ୍ତି ଉପଯୋଗ କରାଯିବ, ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ । ପରେ ଚିହ୍ନଟ କୋଠାରେ ସୌର ପ୍ୟାନେଲ ପ୍ରତିଷ୍ଠା କରାଯାଇ ଶକ୍ତି ଉତ୍ପାଦନ କରାଯିବ । ଗୋଟିଏ ଅଫିସର ବଳକା ସୌରଶକ୍ତିକୁ ଭର୍ଚୁଆଲ୍‌ ନେଟ୍‌ ମିଟରିଂ ଜରିଆରେ ଗ୍ରୀଡ ଯୋଗେ ଅନ୍ୟକୁ ଯୋଗାଇ ଦିଆଯିବ।

ସରକାରୀ ଅଫିସରେ ସୌର ପ୍ୟାନେଲ୍‌ ଲଗାଯିବା ନିଷ୍ପତ୍ତିକୁ ବିଦ୍ୟୁତ ମହାସଂଘ ସ୍ବାଗତ କରିଛି । ୩୦ ବର୍ଷ ତଳେ ପ୍ରଥମ କରି ଦେଶରେ ବିଦ୍ୟୁତ ସଂସ୍କାର ଆରମ୍ଭ କରିଥିଲା ଓଡ଼ିଶା । ଯାହାକୁ ଅନ୍ୟ ରାଜ୍ୟ ଅନୁକରଣ କରିଥିଲେ । ରାଜ୍ୟକୁ ଅଙ୍ଗାର ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୋ ପଲିସି ପ୍ରଣୟନ କରିଛନ୍ତି । କୋରାପୁଟର ଦେଓମାଳିରେ ପବନ ଚାଳିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଆସନ୍ତା ୧୦ ବର୍ଷ ଭିତରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର ନେଇ ରାଜ୍ୟ କିପରି ସ୍ବାବଲମ୍ବୀ ହେବ, ସେଥିପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ନୀତି  ପ୍ରସ୍ତୁତ କରାଯାଇଛି ।

 

Latest Posts

Don't Miss