ଭୁବନେଶ୍ୱର: ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଓଡିଆ ଭାଷାକୁ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବନ୍ଦ ଥିବା ସ୍କୁଲ ଖୋଲିବା, ଶିକ୍ଷକ ନିଯୁକ୍ତି କରିବା, ଓଡ଼ିଆ ପୁସ୍ତକ ଯୋଗାଇ ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଭାବାତ୍ମକ ଏକତା ବଢାଇବା ପାଇଁ କରାଯିବ ପ୍ରୟାସ । ବିଧାନସଭାର ସବ-କମିଟି ବୈଠକରେ ପଡୋଶୀ ରାଜ୍ୟ ଛତିଶଗଡରେ ଓଡ଼ିଆ ଭାଷା କିଭଳି ଅଧିକ ଗୁରୁତ୍ୱ ଦିଆଯିବ ତାହା ଉପରେ ଆଲୋଚନା ହୋଇଥିଲା ।
ସୁଚନା ଅନୁଯାୟୀ ଛତିଶଗଡରେ ୧୮୦ରୁ ଅଧିକ ସ୍କୁଲ ରହିଛି, ଏ ସମସ୍ତ ସ୍କୁଲରେ କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯାଉଛି ସେଥିପାଇଁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାୟପୁରରେ ବନ୍ଦ ଥିବା ଓଡ଼ିଆ ସ୍କୁଲ ମଧ୍ୟ ଖୋଲିବ । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସେହି ଅଞ୍ଚଳରେ ଓଡ଼ିଆ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଧାନସଭା ସବ କମିଟିରେ ଆଲୋଚନା ହୋଇଥିବା ସୂଚନା ରହିଛି ।

