ଭୁବନେଶ୍ବର: ରାଜ୍ୟର ସଫେଇ କର୍ମଚାରୀମାନେ ବହୁବିଧ ଅସୁବିଧା ଦେଇ ଗତି କରୁଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାରେ ଏହି ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ମାତ୍ର ସେମାନଙ୍କୁ ପରିଶ୍ରମ ଅନୁସାରେ ହକ୍ ମିଳୁନି । ଅଣକୁଶଳୀ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ମଜୁରୀ ମିଳୁଛି । ତୁରନ୍ତ ଏହି ସଫେଇ କର୍ମଚାରୀମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ଦେଇ ଅଧିକ ମଜୁରୀ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ବର ଶ୍ରମ ଆୟୁକ୍ତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ବହୁ ସଫେଇ କର୍ମଚାରୀ ଆସି ଏ ଦାବିପତ୍ର ପ୍ରଦାନ କରିଛନ୍ତି ।
ସଂଘ ପକ୍ଷରୁ ଦର୍ଶାଯାଇଛି, କରୋନା ମହାମାରୀ ସମୟରେ ଏହି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଥିଲେ । ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସ୍ବଚ୍ଛ ଭାରତ ମିଶନରେ ଏମାନଙ୍କର ଅବଦାନ ସର୍ବାଧିକ । ପୌରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାରେ ଏହି କର୍ମଚାରୀମାନେ ସବୁବେଳେ ବଡ଼ ଭୂମିକା ତୁଲାଇ ଆସୁଛନ୍ତି । ଫିକାଲ ସ୍କଜ କାର୍ଯ୍ୟକ୍ରମରେ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଛି । ଏ କ୍ଷେତ୍ରରେ ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କ ଭୂମିକା ସର୍ବାଧିକ । ତେଣୁ ଏମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହ କୁଶଳୀ ଶ୍ରମିକ ଭାବେ ଗ୍ରହଣ କରି ବର୍ଦ୍ଧିତ ମଜୁରୀ ଦେବାକୁ ଏମାନେ ଦାବି କରିଛନ୍ତି । ରାଜ୍ୟ ସରକାର ସବୁବର୍ଗ ପାଇଁ ବହୁ ଜନକଲ୍ୟାଣ ଯୋଜନା ହାତକୁ ନେଇଛନ୍ତି । ସଫେଇ କର୍ମଚାରୀଙ୍କ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

