ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଦୁଇଟି କ୍ଲାସ ରୁମକୁ ୧୫୨ ପିଲା । ଆଗପଛ ହୋଇ ବସି ପଢୁଛନ୍ତି ପାଠ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ଗଞ୍ଜୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ପିଲା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟାଳୟ ପରିସର ମଧ୍ୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ହୋଇଛି । ହେଲେ ତାହା ଦୀର୍ଘ ବର୍ଷ ହେବ ଅଧା ନିର୍ମିତ ଅବସ୍ଥାରେ ପଡିରହିଥିବା ବେଳେ ସେଥିରେ ଲତାବୁଦା ମାଡିଗଲାଣି । ଫଳରେ ପୁରୁଣା ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢୁଛନ୍ତି । ଭଙ୍ଗାଦଦରା ରୋଷେଇ ଘରେ ଚାଲିଛି ପିଲାଙ୍କ ମଧ୍ୟାହ୍ନ ଭୋଜନ । ଖାଲି ସେତିକି ନୁହେଁ ବିଦ୍ୟାଳୟରେ ପାନୀୟ ଜଳର ସୁବ୍ୟବସ୍ଥା ବି ନାହିଁ । ଯେଉଁ ନଳକୂପଟି ଅଛି ସେଥିରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ । ସମସ୍ୟା ସଂପର୍କରେ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ଓ ବର୍ତ୍ତମାନ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେଣି ହେଲେ ଫଳ ଶୂନ । କେବେ ବିଦ୍ୟାଳୟ ସମସ୍ୟାର ହେଉଛି ସମାଧାନ ? କେବେ ଛାତ୍ରଛାତ୍ରୀ ସୁବିଧାରେ ପାଠ ପଢୁଛନ୍ତି ? ତାହା ଦେଖିବାକୁ ବାକି ରହିଲା ।

