spot_img

Latest Posts

ଲୋକଙ୍କ ସରକାରରେ ବିକଳ ଦୃଶ୍ୟ: ଦାନା ଗଣ୍ଡେ ପାଇଁ ରାଜରାସ୍ତାରେ ୭୫ ବର୍ଷୀୟା ବୃଦ୍ଧା

ଲୋକଙ୍କ ସରକାରରେ ବିକଳ ଦୃଶ୍ୟ । ଦାନା ଗଣ୍ଡେ ପାଇଁ ରାଜରାସ୍ତାରେ ବୃଦ୍ଧା । ହାତରେ ବ୍ୟାଗ ଖଣ୍ଡେ ଧରି ହେଉଛନ୍ତି ବାରଦୁଆର । ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ଖୋଦ ବଲାଙ୍ଗୀର ସହର ୧୮ ନମ୍ବର ୱାର୍ଡ ତୁଳସୀନଗରରୁ ଆସିଛି । ତୁଳସୀନଗରରେ ୭୫ ବର୍ଷୀୟା ବୃଦ୍ଧା ସୁମତି ଏକମାତ୍ର ପୁଅ ସୁମନ୍ତ ଓ ଦୁଇ ନାତିଙ୍କ ସହ ରୁହନ୍ତି । ଦିନ ଥିଲା ପୁଅ ସୁମନ୍ତ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ହେଲେ ଗତ ଅକ୍ଟୋବର ୧୭ରେ ସୁମତିଙ୍କ ପରିବାର ଉପରେ ଛାଇଗଲା କଳା ଅନ୍ଧାର । ସୁମନ୍ତଙ୍କର ମୃତ୍ୟୁ ହୋଇଯିବାରୁ ସୁମତିଙ୍କ ଚାରିଦିଗ ଅନ୍ଧାର ହୋଇଗଲା । ପୁଅର ଶୁଦ୍ଧିକ୍ରିୟା କରିବାକୁ ବିଚରା ମାଆ ପାଖରେ କାଣି କଉଡିଟିଏ ନଥିଲା । ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୪ ହଜାର ଟଙ୍କା ବି ମିଳିଲାନି । ବାଧ୍ୟ ହୋଇ ବୁଢୀ ବୟସରେ ବାରଦୁଆର ଶୁଣ୍ଢି ପିଣ୍ଢା ହୋଇ ଓ କିଛି ଟଙ୍କାରେ ଆବାସ ଘର ବନ୍ଧା ପକାଇ ପୁଅର ଶୁଦ୍ଧିକ୍ରିୟା କଲେ ମାଆ  । ଏବେ କିପରି ବନ୍ଧା ପଡିଥିବା ଘର ମୁକୁଳାଇବେ ଓ ପରିବାର ଚଲାଇବେ ସେଥଲାଗି ଭିକ୍ଷାବୃତ୍ତି କରୁଛନ୍ତି ସୁମତି  ।

ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି ହେଲେ ସୁମତି ସେସବୁଥିରୁ ବଞ୍ଚିତ । ଜିଲ୍ଲା ପ୍ରଶାସନର ନାକତଳେ ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଯେଭଳି ପ୍ରଶାସନ ଆଖି ବୁଜି ଦେଇଛି । ସେପଟେ ସାମାଜିକ ଗଣମାଧ୍ୟମରେ ସୁମତିଙ୍କ ଖବର ବାଜିବା ପରେ କିଛି ଦିନ ତଳେ ସୁମତିଙ୍କ ଘରକୁ ଯାଇ ସହାୟତାର ହାତ ବଢାଇଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷା  । ପୌରପରିଷଦ ସ୍ଵତନ୍ତ୍ର ପାଣ୍ଠିରୁ ୪ ହଜାର ଟଙ୍କାର ଆର୍ଥିକ ସହାୟତା ସହ ଗୋଟିଏ ମାସର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି  । ଏନେଇ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

Latest Posts

Don't Miss