ନନ୍ଦିଘୋଷ ବ୍ୟୁରୋ: ଲୋକସଭା ପରେ ରାଜ୍ଯସଭାରେ ମଧ୍ଯ ବିରୋଧୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଦେଶବାସୀଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ଜନତାଙ୍କ ବୁଦ୍ଧି ଜ୍ଞାନକୁ ନେଇ ଆମେ ଗର୍ବିତ। କାରଣ ବିରୋଧୀଙ୍କ ପ୍ରୋପାଗାଣ୍ଡାକୁ ଲୋକେ ବିଶ୍ଵାସ ନ କରି ସରକାରଙ୍କ କାମକୁ ଗୁରୁତ୍ବ ଦେଇଛନ୍ତି। ମିଛର ରାଜନୀତିକୁ ପ୍ରତ୍ଯାଖ୍ଯାନ କରି ଭରସାର ରାଜନୀତି ଉପରେ ମୋହର ମାରିଛନ୍ତି ଲୋକେ। ମୋଦି କହିଛନ୍ତି, ଆସନ୍ତା ୫ ବର୍ଷରେ ସମସ୍ତଙ୍କୁ ମୌଳିକ ସୁବିଧା ମିଳିବ। ୫ ବର୍ଷରେ ଗରିବୀ ସଂପୂର୍ଣ୍ଣ ଦୂର କରାଯିବ। ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ପରେ ସାରା ଦେଶର ଲୋକେ ଏହାର ଫାଇଦା ପାଇବେ ବୋଲି କହିଛନ୍ତି ମୋଦି। ତେବେ ଗୃହରେ ମଲ୍ଲିକାର୍ଜୁନଙ୍କୁ କହିବାର ସୁଯୋଗ ଦିଆନଯିବାରୁ ସ୍ଲୋଗାନ ଦେଇଥିଲେ ବିରୋଧୀ। ପରେ ସମସ୍ତେ କକ୍ଷତ୍ଯାଗ କରିଥିଲେ। ଏହାକୁ ନେଇ ମୋଦି କଟାକ୍ଷ କରିଛନ୍ତି, ସତ ଶୁଣିନପାରି ବିରୋଧୀ ପଳାୟନପନ୍ଥୀ ହୋଇଛନ୍ତି। ସେପଟେ ବିରୋଧୀ ଦଳ କହିଛନ୍ତି, ଲୋକଙ୍କୁ ଭ୍ରମିତ କରିବା, ମିଛ କହିବା ହେଉଛି ସେମାନଙ୍କ ଅଭ୍ଯାସ । ସମ୍ବିଧାନକୁ ଆଗରୁ ସେମାନେ ବିରୋଧ କରୁଥିଲେ, ଏହା ଆମେ କହିବାକୁ ଚାହୁଁଥିଲୁ। ଆମକୁ କହିବାକୁ ସୁଯୋଗ ଦିଆଯାଇନଥିବାରୁ ଏହାକୁ ନିନ୍ଦା କରାଯାଇଥିବା ଖଡ଼ଗେ କହିଛନ୍ତି।

