spot_img

Latest Posts

ରାଜଧାନୀରେ ନକଲି ଔଷଧ କାରବାର ଅଭିଯୋଗ

ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡପ୍ରେସର ପାଇଁ ଔଷଧ କିଣିଥିଲେ ।

ସେହି ଔଷଧ ସେବନ କରିବା ପରେ କିଛି କାମ ନକରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନ୍ଦେହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରୁ ଏକ ସ୍ବତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢଉ କରି ସେହି ଔଷଧକୁ ସିଜ କରିଛନ୍ତି ।

ଦୋକାନୀଙ୍କ ପାଖକୁ ସେହି ଔଷଧ କେଉଁଠାରୁ ଆସିଥିଲା ଏବଂ ଏହାର ଷ୍ଟକିଷ୍ଟ କିଏ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି । ସିଜ ହୋଇଥିବା ଔଷଧ ନକଲି କି ନୁହେଁ ତାହାର ମାନ ନିରୂପଣ କରିବାକୁ ରାଜ୍ୟ ଔଷଧ ପରୀକ୍ଷଣ କେନ୍ଦ୍ରକୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ସହକାରୀ ଡ୍ରଗ କଣ୍ଟ୍ରୋଲର । ସେପଟେ ଔଷଧ ଦୋକାନୀ ଏନେଇ କିଛି ଜାଣିନଥିବା କହିଥିବା ବେଳେ ବ୍ଲଡ ପ୍ରେସର ଔଷଧ ନହରକଣ୍ଟାରୁ ଆସିଥିବା କହିଛନ୍ତି  ।

Latest Posts

Don't Miss