ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ନିଲମ୍ବିତ ଭୁବନେଶ୍ବର ହାବିଲଦାର କନେଷ୍ଟବଳ ସଂଘ ସମ୍ପାଦକ ପ୍ରସନ୍ନ ବେହେରା । ଗିରଫ ହେବା ପରେ ଭୁବନେଶ୍ବର ଡିସିପି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ବିଧାନର ଧାରା ୩୧୧ (୨)(ଖ) ପ୍ରୟୋଗ କରି ଚାକିରିରୁ ବହିଷ୍କାର କଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ପ୍ରସନ୍ନଙ୍କ ବିରୋଧରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିବା ବେଳେ ୫ଟି ଫୌଜଦାରି ମାମଲା ରହିଛି ।
ଗତକାଲି ପ୍ରସନ୍ନଙ୍କୁ ଗିରଫ କରିଥିଲା ତମାଣ୍ଡୋ ଥାନା ପୋଲିସ । ଗିରଫର ଦିନକ ପୂର୍ବରୁ ନିଲମ୍ବିତ ହୋଇଥିଲେ ଭୁବନେଶ୍ବର କନେଷ୍ଟବଳ ଓ ହାବିଲଦାର ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ବେହେରା । ମନୀଷ ଅନୁରାଗ ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିଲା ହୋଟେଲ ସାଉଥ ସିଟି । ସେହି ହୋଟେଲର ବାରକୁ ବେଆଇନ ଭାବରେ ଚଲାଇବା ସହିତ ନିଜେ ପ୍ରସନ୍ନ ସେଠାରେ ରଙ୍ଗୀନ ଆସର ଜମାଉଥିଲେ ।
ପୋଲିସର ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହୋଇଥିଲା । ଗତକାଲି ପ୍ରସନ୍ନ ବେହେରାଙ୍କ ସହିତ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର୍ ମ୍ୟାନେଜର ଗିରଫ ହୋଇଛନ୍ତି । ପୂର୍ବରୁ ପ୍ରସନ୍ନ ବିଭିନ୍ନ ମାମଲାରେ ୪ଥର ସସ୍ପେଣ୍ଡ ହୋଇଥିଲେ । ମନିଷଙ୍କ ମୃତ୍ୟୁ ଅଭିଯୋଗରେ ପୋଲିସ ତାଙ୍କ ତିନି ବନ୍ଧୁଙ୍କୁ ଗିରଫ କରିଥିବାବେଳେ ଗତକାଲି କନଷ୍ଟେବଳ ପ୍ରଶନ୍ନ ବେହେରାଙ୍କୁ ମଧ୍ୟ ଗିରଫ କରିଥିଲା ।

