ଖୋର୍ଦ୍ଧା : ଆଜି ପବିତ୍ର ମକର ସଂକ୍ରାନ୍ତି ବା ପୋଙ୍ଗଲ । ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରିରେ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରଭୁ ହଟକେଶ୍ଵରଙ୍କ ଦର୍ଶନ ସହ ଯାତ୍ରା ବୁଲିବାର ମଜା ଉଠାଉଛନ୍ତି ଲୋକେ । ଆଜିର ଦିନରେ ଏଠାରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ପ୍ରତିବର୍ଷ ପରି ପ୍ରଭୁ ହଟକେଶ୍ଵରଙ୍କ ପାଖେ ପୂଜାର୍ଚ୍ଚନା ପରେ ଦଲକ କୁଣ୍ଡରୁ ସନ୍ତାନପ୍ରାପ୍ତି ନିମନ୍ତେ ଗୁଆ ଖୋଜିଛନ୍ତି ନିଃସନ୍ତାନ ମହିଳା । କାହିଁ କେଉଁ କାଳରୁ ରହିଆସିଛି ଏହି ପରମ୍ପରା । ଆଜିର ତିଥିରେ ନିଃସନ୍ତାନ ମହିଳା ଏଠାରେ ମାନସିକ ରଖିଲେ ପୁତ୍ରବତୀ ହୁଅନ୍ତି ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ଵାସ ।
ମକର ସଂକ୍ରାନ୍ତିରେ ହଟକେଶ୍ଵରଙ୍କ ପୀଠରେ ପାଳିତ ହୁଏ ମକର ମେଳା । ଆଜିର ଦିନରେ ଅଟ୍ରି ପୀଠରେ ଗାଧୋଇ ହଟକେଶ୍ବର ମହାଦେବଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ। ଏହି ବିଧିରେ ଖୋର୍ଦ୍ଧା ହଟକେଶ୍ଵର ମନ୍ଦିରରେ ଆଜି ସକାଳୁ ଭିଡ ଲାଗି ରହିଥିଲା । ସନ୍ଧ୍ୟାରେ ପୁରୀ ଗଜପତି ମହାରାଜଙ୍କ ରାଣୀ ମକର ଚାଉଳ ଭୋଗ ଲଗାଇବାର ବିଧି ରହିଛି । ଅଟ୍ରିରେ ଆଜିଠୁ ଏକ ମାସ ଯାଏଁ ଚାଲିବ ମେଳା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିବ ।

