ଭିଣେଇର ଛୁରା ମାଡରେ ଶାଳୀ ଗୁରୁତର

କେନ୍ଦ୍ରାପଡ଼ା: ସମ୍ପର୍କୀୟ ଭିଣେଇର ଛୁରା ମାଡରେ ଶାଳୀ ଗୁରୁତର। ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳପଡା ପଞ୍ଚାୟତ ଓଳିଆ ଗାଁରେ ଶନିବାର ଅପରାହ୍ନରେ ଘଟଛି ଏହି ଅଘଟଣ। ଗୁରୁତର ଯୁବତୀ ସସ୍ମିତା ମହାପାତ୍ରଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ତେବେ ଶାଳୀକୁ ଛୁରାମାଡ କରି ସାରି ସେହି ଛୁରୀରେ ନିଜ ଗଳା କାଟିବା ପାଇଁ ଉଦ୍ୟମ କରିଛି ଅଭିଯୁକ୍ତ ଭିଣେଇ ଦିବାକର ତ୍ରିପାଠୀ।
ମିଳିଥିବା ସୂଚନା ଅନୁଯାୟୀ ସସ୍ମିତା ଗରଦପୁର ସ୍ଥିତ ନିଜ ସମ୍ପର୍କୀୟ ଭିଣେଇ ଦିବାକରଙ୍କ ଘରେ ଦୀର୍ଘ ୧୨ ବର୍ଷ ଧରି ରହି ଦରଜି କାମ କରି ଆସୁଥିଲେ। ଶନିବାର ଦିନ ସସ୍ମିତା ସମ୍ପର୍କୀୟ ଭିଣେଇ ଦିବାକରଙ୍କ ସହ ନିଜ ଘର ଓଳିଆକୁ ଆସିଥିଲେ। ସେଠାରେ ସସ୍ମିତାଙ୍କୁ ଛାଡି ଦେଇ ଦିବାକର କେଉଁଆଡ଼େ ଚାଲି ଯାଇଥିଲେ। କିଛି ସମୟ ପରେ ଫେରି ଆସି ଏକ ଧାରୁଆ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସସ୍ମିତାଙ୍କ ଗାଲ , ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ଘଟଣା ଘଟିବା ପରେ ଗାଁ ଲୋକେ ଦିବାକରଙ୍କୁ ଅଟକ ରଖିଥିବା ବେଳେ ସେହି ଛୁରୀରେ ଦିବାକର ନିଜ ବେକ କାଟିବା ପାଇଁ ଉଦ୍ୟମ କରିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତ ଦିବାକର କୁ ନିଜ ହେପାଜତକୁ ନେଇ ଚିକିତ୍ସା ପାଇଁ ୧୦୮ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଛି । ତେବେ ଏହି ଆକ୍ରମଣ ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୀଡ଼ିତା ସସ୍ମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି।