ରାଞ୍ଚି: କେବେ ଶୁଣିଛନ୍ତି ଶୀତ କାହାର ବାହାଘର ଭାଙ୍ଗି ଦେବ । ଶୀତ କାହାକୁ ଶିଶୁପାଳ କରି ଦେବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅତ୍ୟଧିକ ଶୀତ ପାଇଁ ଜଣେ ବରଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି । ଏବେ ସାରା ଦେଶରେ ଶୀତ ଲହରୀ ଜାରି ରହିଛି । ଘରୁ ବାହାରିବା ବି ମୁସ୍କିଲ । ଆଉ ଏହା ସହ ବିବାହ ଋତୁ ବି ଚାଲିଛି । ବିବାହ କରିବାକୁ ଆସି ଜଣେ ବର ଅସହ୍ୟ ଥଣ୍ଡାରେ ଚେତାଶୂନ୍ୟ ହୋଇପଡିଥିଲେ । ଆଉ ଏଥିରେ ରାଗିଯାଇ ବିବାହ କରିବାକୁ ମନା କରି ଦେଇଥିଲେ କନ୍ୟା । ଫଳରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି । ଏଭଳି କିଛି ଘଟଣା ଘଟିଛି ଝାଡଖଣ୍ଡର ଦେବଘର ଅଞ୍ଚଳରେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ସୋସିଆଲ ମିଡ଼ିଆରେ ମଧ୍ୟ ଏହା ଭାଇରାଲ ହେଉଛି ।
ଦେବଘର ଜିଲ୍ଲା ମୋହନପୁର ବ୍ଲକ ଘୋରମାରାରେ ପ୍ରବଳ ଥଣ୍ଡା ଓ ଶୀତ ଲହରୀ ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଛି । ଥଣ୍ଡା ଯୋଗୁଁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି । ଘୋରମାରର ଅର୍ଣ୍ଣବ ନାମକ ଜଣେ ଯୁବକଙ୍କ ବିବାହ ଅଙ୍କିତା ନାମକ ଜଣେ ଝିଅ ସହ ହେବାର ଥିଲା । ବିବାହ ଉତ୍ସବ ଏକ ଘରୋଇ ଉଦ୍ୟାନ ପରିସରରେ ଆୟୋଜନ କରାଯାଇଥିଲା । ବେଶ୍ ଜାକଜମକର ସହ ବିବାହ ଆୟୋଜନ ହୋଇଥିଲା ।
ସମୟ ଅନୁସାରେ ବର ଆସିଲା ବାଟବରଣି ହେଲା । ଏହାପରେ ବରକନ୍ୟା ବିବାହ ମଣ୍ଡପକୁ ଯାଇଥିଲେ । ମଣ୍ଡପ ଖୋଲା ଆକଶ ତଳେ ତିଆରି ହୋଇଥିଲା। ପଣ୍ଡିତ ମନ୍ତ୍ରପାଠ ଆରମ୍ଭ କଲେ । ଆଉ ଏହି ସମୟରେ ପ୍ରବଳ ଥଣ୍ଡା ଯୋଗୁଁ ବର ଚେତାଶୂନ୍ୟ ହୋଇ ପଡିଲେ । ଏହା ପରେ ପରିବାର ଲୋକେ ତାଙ୍କୁ ଉଠାଇ ଘରକୁ ନେଇ ହାତ ଗୋଡ଼ ଘଷିଥିଲେ । ଡାକ୍ତର ଆସି ତାଙ୍କର ଚିକିତ୍ସା କରିଥିଲେ । ପ୍ରାୟ ଦେଢ଼ରୁ ଦୁଇ ଘଣ୍ଟା ପରେ ତାଙ୍କ ଚେତା ଫେରିଥିଲା । ଏହାପରେ ବର ଆସି ବିବାହ ମଣ୍ଡପରେ ବସିଥିଲେ । ହେଲେ କନ୍ୟା ତାଙ୍କ ସହ ସାତ ଘେରା ନେବାକୁ ମନା କରିଦେଇଥିଲେ । ଆଉ ବିବାହ ଭାଙ୍ଗି ଦେଇଥିଲେ ।
କନ୍ୟାର କହିବା କଥା ହେଲା, ପୁଅ ଅସୁସ୍ଥ ଅଛି, ତେଣୁ ସେ ତାଙ୍କୁ ବିବାହ କରିବେ ନାହିଁ । କନ୍ୟା ସନ୍ଦେହ ଅଧିକ ବଢ଼ି ଯାଇଥିଲା କାରଣ ସାଧାରଣତଃ ବରଯାତ୍ରୀ ନେଇ ବର କନିଆଁ ଘରକୁ ବିବାହ କରିବାକୁ ଆସିଥାଏ । କିନ୍ତୁ ଏହି ବିବାହରେ କନିଆଁ ବର ଘରକୁ ଆସିଥିଲେ ବିବାହ କରିବା ପାଇଁ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢ଼ିବା ସହ ଶେଷରେ ବିବାହ ଭାଙ୍ଗି ଯାଇଥିଲା ।

