ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ନ ଥିଲା ବାତ୍ୟା ଦାନା। ୧୯୯୯ ମହାବାତ୍ୟାଠୁ ଆରମ୍ଭ କରି ୨୫ ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସମ୍ମୁଖୀନ ହୋଇଛି। ୨୦୧୩ରେ ଫାଇଲିନଠାରୁ ଆରମ୍ଭ କରି ହୁଡ୍ ହୁଡ୍, ତିତଲି, ଫନି ପରି ଅନେକ ବାତ୍ୟା ଦେଖିଛି ଓଡ଼ିଶା। ଦେଖିବାକୁ ଗଲେ ଏମାନଙ୍କ ତୁଳନାରେ ସେତେଟା ଭୟଙ୍କର ନ ଥିଲା ଦାନା। ଏହାର ଶକ୍ତି ବା ପବନର ବେଗ ଅଧିକ ନ ଥିବାରୁ ରାଜ୍ୟବାସୀ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଛନ୍ତି। ଧନ ଜୀବନ ହାନି ଦୃଷ୍ଟିରୁ ଏକ ପ୍ରକାର ଆଶ୍ଵସ୍ତ ପ୍ରକାଶ ପାଇଛି।
ଗତ ରାତିରେ କେନ୍ଦ୍ରାପଡ଼ାର ହବାଳିଖଟିରେ ଲ୍ୟାଣ୍ଡଫଲ୍ କରିଥିଲା ଦାନା। ରାତି ପ୍ରାୟ ୧୨ରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିଥିଲା। ପବନର ଘଣ୍ଟା ପ୍ରତି ବେଗ ଥିଲା ଶହେରୁ ୧୨୦ କିଲୋମିଟର ରହିବ ବୋଲି କୁହାଯାଇଥିବା ବେଳେ ସ୍ଥଳଭାଗକୁ ଆସିବା ପରେ ଏହା ୭୦ରୁ ୮୦ କିଲୋମିଟରକୁ ଖସି ଆସିଥିଲା। ବାତ୍ୟା ଦୃଷ୍ଟିରୁ ଦେଖିଲେ, ପବନର ଏହି ବେଗ ସେତେଟା ବିପଦପୂର୍ଣ୍ଣ ନୁହେଁ। ସେଥିପାଇଁ କ୍ଷୟକ୍ଷତି ହୋଇନାହିଁ।
ଭିତରକନିକାର ହେନ୍ତାଳ ବଣ ଭିତର ଦେଇ ଦାନା ସ୍ଥଳଭାଗକୁ ଆସିଥିବାରୁ ପବନର ଗତି କମିଯାଇଥିଲା। ଦାନା ଏତେ ଶକ୍ତିଶାଳୀ ନ ଥିଲା, ତେଣୁ ଏହାର ଆଖି ବି ଜଣାପଡ଼ି ନଥିଲା। କାରଣ ଏହା ଏକ ଛୋଟ ବାତ୍ୟା ଥିଲା। ଯାହାକି ସୃଷ୍ଟି ହେବା ପରଠୁ ଜଣାପଡ଼ି ଯାଇଥିଲା। ତା’ଛଡ଼ା ବାରମ୍ବାର ଦିଗ ପରିବର୍ତ୍ତନ କରିଥିଲା ଦାନା। ତେଣୁ ଏହା ଭୟଙ୍କର ହୋଇପାରିନଥିଲା।
୧୯୯୯ ମହାବାତ୍ୟା ଥିଲା ସବୁଠୁ ବଡ଼ ବାତ୍ୟା। ଏଥିରେ ଛାରଖାର ହୋଇ ଯାଇଥିଲା ଅଧା ଓଡ଼ିଶା। ଧ୍ଵସ୍ତବିଧ୍ଵସ୍ତ ହୋଇଥିଲା ଉପକୂଳ ଅଞ୍ଚଳ। ମହାବାତ୍ୟା ବେଳେ ପବନର ଘଣ୍ଟା ପ୍ରତି ବେଗ ଥିଲା ୨୬୦ କିଲୋମିଟରରୁ ଅଧିକ। ବେସରକାରୀ ଭାବେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ହଜାର ହଜାର ଜୀବଜନ୍ତୁ, ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲ। ନାହିଁ ନ ଥିବା କ୍ଷୟକ୍ଷତି ହୋଇଥିଲା। ଦୋହଲି ଯାଇଥିଲା ଆର୍ଥିକ ମେରୁଦଣ୍ଡ, ଯାହାକୁ ସଳଖ କରିବାକୁ ସେତେବେଳର ବିଜେଡି ସରକାରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।
୨୦୧୩ରେ ଆସିଥିଲା ଫାଇଲିନ୍। ଏଥିରେ ପବନର ବେଗ ଥିଲା ଘଣ୍ଟାପ୍ରତି ୨୪୦ କିଲୋମିଟର। କିନ୍ତୁ ରାଜ୍ୟ ସରକାରଙ୍କ ଉଚିତ ମୁକାବିଲା ରଣନୀତି ଯୋଗୁଁ ମାତ୍ର ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୩ ଶହ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଥିଲା।
୨୦୧୪ରେ ଆସିଥିଲା ହୁଡ୍ ହୁଡ଼୍। ଏଥିରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୮୫ କିମି। ସେତେବେଳର ବିଜେଡି ସରକାରଙ୍କ ଉପଯୁକ୍ତ ପରିଚାଳନା ଯୋଗୁଁ ମାତ୍ର ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୫ ହଜାର କୋଟିର କ୍ଷୟକ୍ଷତି ହୋଇଥିଲା।
ବାତ୍ୟା ଡାଏ ଯୋଗୁଁ ସେମିତି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା। ଡାଏ ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୭୦ କିମି। ଏପରିକି ଏହାକୁ ଏକ ବାତ୍ୟା ବୋଲି ମଧ୍ୟ ଗ୍ରହଣ କରାଯାଇନଥିଲା।
ବାତ୍ୟା ତିତଲି କିନ୍ତୁ ଭୟଙ୍କର ଥିଲା। ପବନର ବେଗ ଥିଲା ଘଣ୍ଟା ପ୍ରତି ୧୧୦ କିମି। ଏହା ନେଇଥିଲା ୭୨ ଜଣଙ୍କ ଜୀବନ। ପ୍ରାୟ ୩ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା।
୨୦୧୯ ମେ ମାସରେ ଆସିଥିଲା ବାତ୍ୟା ଫନି। ପୁରୀରେ ହିଟ୍ କରିଥିବା ଏହି ବାତ୍ୟା ପୁରୀ ଜିଲ୍ଲା ସହିତ ଭୁବନେଶ୍ଵରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଥିଲା। ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ହଜାର ୩୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା ସେତେବେଳେ। ଫନି ବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୨୦୫ କିମି। ମହାବାତ୍ୟା ପରଠୁ ଅନ୍ୟ କୌଣସି ବାତ୍ୟାରେ ଭୁବନେଶ୍ଵର ଏତେ ପ୍ରଭାବିତ ହୋଇନଥିଲା, ଯେତିକି କ୍ଷତି କରିଥିଲା ଫନି। ପରେ ଏହି ବର୍ଷ ଆଉ ଏକ ବାତ୍ୟା ଅମ୍ପାନ ଆସିଥିଲା। ଏଥିରେ କାହାରି ମୃତ୍ୟୁ ହୋଇନଥିବା ବେଳେ ପ୍ରାୟ ୨୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର କରାଯାଇଥିଲା ଆକଳନ। ଅମ୍ପାନ ବେଳେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୫୦ କିମି।
୨୦୨୧ର ବାତ୍ୟା ୟାସ୍ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଶହ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହି ବର୍ଷ ହୋଇଥିବା ଗୁଲାବ, ଜୱାଦରେ ବେଳେ ସେତେବେଳର ବିଜେଡି ସରକାରର ଉଚିତ ପଦକ୍ଷେପ ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନଥିଲା। ୨୦୨୨ରେ ଆସିଥିବା ବାତ୍ୟା ଆସାନିରେ ମଧ୍ୟ ପବନର ବେଗ ଥିଲା ୧୨୦ କିମି।
ମହାବାତ୍ୟାକୁ ଛାଡ଼ି ୨୫ ବର୍ଷରେ ଯେତେ ସବୁ ବାତ୍ୟା ଆସିଛି, ସେଗୁଡ଼ିକ ମଧ୍ୟରେ ଦାନାର ପ୍ରଭାବ ସେତେଟା ଅଧିକ ନୁହେଁ। ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିବାରୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଛି ରାଜ୍ୟ।

