ବଞ୍ଚିଛି ମଣିଷପଣିଆ ହାରିଗଲା ମଣିଷ, ଶବ ସତ୍କାର କଲେ ତହସିଲଦାର ଓ ବିଡିଓ

ଭଦ୍ରକ: ଅଫେରା ରାଇଜେ ବାପା । ବାହୁନି କାନ୍ଦୁଛି ଝିଅ । ନା ଛୁଇଁ ପାରୁଛି, ନା ଛୁଇଁବାକୁ କିଏ ଅନୁମତି ଦେଉଛି । ସେପଟେ ପଣତରେ ସବୁ ଖୁସିକୁ ପୁଟୁଳି କରି ସ୍ୱାମୀର ପାଦ ପାଖରେ ସମର୍ପି ଦେଉଛି ସ୍ତ୍ରୀ । କଟକଣା ବି ପତ୍ନୀକୁ ମୃତ ପତିର ଶରୀରକୁ ସ୍ପର୍ଶ କରିବାରେ ବାଧକ ସାଜିଛି । ଆଉ ଏପଟେ ମୃତ ଶରୀରକୁ ପର କରିଦେଲେ ପରିଜନ। ସଂକ୍ରମଣ ଭୟରେ ଭାଇଚାରା ବି ଭୁଲିଗଲେ । ମଣିଷ ତ ସେମାନେ କିନ୍ତୁ ମଣିଷ ପଣିଆ ଭୁଲିଗଲେ । ଚାନ୍ଦବାଲି ବ୍ଲକରେ ଘଟିଛି ଏଭଳି ଏକ ବେଦନାଦାୟକ ଖବର ।

ନଳଗୋହିରିଆ ଗାଁର ସୁବାଷ ଖଟୁଆଙ୍କର ଗତ ୮ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ଏପରିକି କୋଭିଡରେ ଚିକିତ୍ସିତ ମଧ୍ୟ ହେଉଥିଲେ। ହେଲେ ସୁବାଷଙ୍କର ଶନିବାର ସକାଳେ କରୋନାରେ ମୃତ୍ୟୁ ଘଟିଥିଲା । ସେପଟେ ଘରେ ଅନ୍ୟ କେହି ପୁରୁଷ ନଥିବାରୁ ଶବଦାହ ପାଇଁ ସକ୍ଷମ ନଥିଲେ ସ୍ତ୍ରୀ ଏବଂ ଝିଅ ।

ପଡୋଶୀ ଏବଂ ପରିଜନଙ୍କୁ ଗୁହାରୀ କରିବା ପରେ ମଧ୍ୟ ଭୁତାଣୁ ଆଗରେ ସେମାନଙ୍କର ମାନବିକତା ହାରିଯାଇଥିଲା । ଶବ ସତ୍କାର ପାଇଁ ମନା କରିଦେଇଥିଲେ । ସାହିଭାଇ କେହି ଆସିନଥିଲେ, ଏପରି ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ବିଡିଓ ଜ୍ୟୋତି ବିକାଶ ଦାସ, ବାଂଶଡା ଆଇଆଇସି ନଳଗୋହିରା ଗାଁରେ ପହଁଚିବା
ପିପିକିଟ ପିନ୍ଧି ଶବ ସତ୍କାର କରିଥିଲେ ।

ଯେତେବେଳେ ସାହି ପଡିଶା କେହି ଶବକୁ ଛୁଇଁ ନଥିଲେ, ସେତେବେଳେ ପ୍ରଶାସନିକ ଅଧିକାରୀଙ୍କ ମାନବିକତା ବସି ରହିନଥିଲା ।  ଖବର ପାଇବା ପରେ ତୁରନ୍ତ ଛୁଟି ଆସିଥିଲେ ନଳଗୋହିରିଆ ଗାଁକୁ  । ମୃତକଙ୍କୁ କାନ୍ଧରେ ମଶାଣୀ ବୋହି ନେବା ସହ ପରମ୍ପରା ଅନୁଯାୟୀ ଶବ ସତ୍କାର କରିଥିଲେ  । ଆଉ ପ୍ରଶାସନର ଏଭଳି କାର୍ଯ୍ୟ ବିଷୟରେ ଜେ ଶୁଣୁଛି ସେ କହୁଛି  । କିଏ ଏଠି ନିଜର, ପୁଣି କିଏ ପର ।

Leave a Reply