spot_img

Latest Posts

ଫସିଯାଇଛି ମମତା, କାନ୍ଦୁଛନ୍ତି କୁକୁର ଛୁଆ

ନନ୍ଦିଘୋଷ ବ୍ୟୁରୋ: ପାଚେରୀ ଭିତରେ ମାଆ । ପାଚେରୀ ବାହାରେ ମମତାର ରାହା । ଲୁହ ଆଗରେ ବାଧା ଲୁହାବାଡ । ଅସହ୍ୟ ଶୀତରେ ସାତ ରାତି । ମୁଣ୍ଡ ଉପରେ ଖୋଲା ଆକାଶ, ମନ ଭିତରେ ମମତାର ଆଶଙ୍କା । ଖାଦ୍ୟର ସନ୍ଧାନ ଯେ, ବନ୍ଧନରେ ବାଧକ ସାଜିବ ସେ ବା ଜାଣିବ କିପରି । ସେ ବା ମାଆ । ଛୁଆଙ୍କ ପେଟକୁ ଦାନା ଦିଇଟା ଦେବାପାଇଁ ସବୁଦିନେ ଭଳି ବାହାରି ଯାଇଥିଲା । ହେଲେ ସୁଉଚ୍ଚ ପାଚେରୀ ଭିତରେ ଫସିଯାଇଥିଲା ମାଆ କୁକୁରଟି । ନା ସେ ଡାକି ପାରୁଛି, ନା କିଏ ଦେଖିପାରୁଛି । ସ୍ନେହ କାଙ୍ଗାଳୀ ମାଆଟି କେବଳ ଆଉଟ ପାଉଟୁ ହେଉଛି । ଏପଟେ ମାଆକୁ ପାଖରେ ନପାଇ ପାଗଳ ପ୍ରାୟ ହୋଇପଡିଥିଲେ ଛୁଆ କୁକୁର ।

ଏମିତି ଏକ ବ୍ୟାକୁଳତା ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱରର ପ୍ରେସଛକ ନିକଟରେ । ଖାଦ୍ୟ ଅନେଷ୍ୱଣରେ ଏକ ସୁଉଚ୍ଚ ପାଚେରୀରେ ଆବଦ୍ଧ ପଡିଆ ଭିତରକୁ ଚାଲି ଯାଇଥିଲା ମାଆ କୁକୁରଟି । ବାହାରେ ୪ଟି ଛୁଆ କୁକୁର ରହିଯାଇଥିବାବେଳେ ମାଆ କୁକୁରଟି ସେମାନଙ୍କୁ ଦେଖି ପାରୁଥିଲେ ମଧ୍ୟ ଖାଇବାକୁ ଦେଇପାରୁନଥିଲା । ସେପଟେ ଛୁଆ ଗୁଡା ମଧ୍ୟ ଭୋକ ଉପାସରେ ରୁଗ୍ଣ ହୋଇପଡିଥିବା ଦେଖିବାକୁ ମିଳିଛି । ଶେଷରେ ଖବର ପହଁଚିଥିଲା ଅଗ୍ନିଶମ କର୍ମଚାରୀଙ୍କ ପାଖରେ । ଜଣେ କେହି ବ୍ୟକ୍ତି କୁକୁରଟିର ଏହି ଅବସ୍ଥା ଦେଖି ସୂଚନା ଦେଇଥିଲେ । ଆଉ ଦୀର୍ଘ ସମୟର ଉଦ୍ୟମ ପରେ କୁକୁରଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଅଗ୍ନିଶମ କର୍ମଚାରୀ ।

ସାତ ରାତିର ଭୋକକୁ ଭୁଲି ଲୁହା ଫାଟକର ଫାଙ୍କାରେ ବାହାରିଥିଲା ସ୍ନେହ କାଙ୍ଗାଳୀ ମାଆଟି । ଯମ ଯାତନାର କଷ୍ଟ କିନ୍ତୁ ଅଟକାଇ ପାରିନଥିଲା । ମିଳନର ସେ ମୂହୂର୍ତ୍ତ ଉପସ୍ଥିତ ଲୋକଙ୍କୁ ସ୍ତମ୍ବିଭୁତ କରୁଥିଲା । ବାହାରିବା ମାତ୍ରେ ଛୁଆଙ୍କ ପାଖକୁ ସିଧା ଛୁଟିଥିଲା । ଛୁଆଙ୍କୁ ପାଇବା ମାତ୍ରେ ଚୁମି ଯାଉଥିଲା ମାଆଟି । ଆଉ ମାଆକୁ ଦେଖି କୁନି କୁକୁର ମାନେ ଖୁସିରେ ବିଭୋର ହୋଇପଡୁଥିଲେ । କୋଳରେ ଲୋଟି ପଡୁଥିଲେ । ଅବୁଝା ଭାଷାକୁ ବୁଝିବା ମାଆ ଆଗରେ ପରସୁ ଥିଲେ । ଆଉ କହୁଥିଲେ ମାଆ ଅଛି ଯାହାର, ସବୁ ଅଛି ତାର….

Latest Posts

Don't Miss