ପ୍ରେମ କରି ଅନ୍ୟତ୍ର ରହୁଥିଲେ, ବର୍ଷେ ପରେ ବାପଘର ଜାଣିଲେ ଝିଅକୁ ହତ୍ୟା କରିଛି ଜ୍ୱାଇଁ
କେନ୍ଦୁଝର: ପ୍ରେମ ଜାଲରେ ଫସାଇ, ଯୁବତୀଙ୍କୁ ବିବାହ ଓ ପରେ ହତ୍ୟା । ଦୀର୍ଘ ୧ ବର୍ଷ ପରେ ଯୁବତୀଙ୍କ ହାଡ଼ ଓ ଚୁଡ଼ି ଉଦ୍ଧାର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ । ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିଥିଲେ ।
ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁରରେ ରହିଥିଲେ । ତେବେ ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା ।
ଝିଅ କେଉଁଠି ବୋଲି ପ୍ରଶ୍ନ କରିବା ପରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାରେ ଏତଲା ଦେଇଥିଲେ ନବାତଙ୍କ ପରିବାର ଲୋକେ । ପୋଲିସ ଚକ୍ରଧରଙ୍କୁ ପଚରାଉଚରା କରିବା ପରେ ହତ୍ୟା କରିଥିବା ସ୍ବୀକାର କରିଥିଲା । ଚକ୍ରଧରଙ୍କ ସୂଚନା ଆଧାରରେ ଜୁଡ଼ିଆ ଘାଟିରୁ ଯୁବତୀଙ୍କ ହାଡ ଓ ଚୁଡ଼ୀ ଜବତ କରିଛି ପୋଲିସ୍ ।
