ପ୍ରସବ ବେଦନାରେ ଛଟପଟ ହାତୀ, ଜଗି ରହିଛନ୍ତି ୨୪ ଗଜରାଜ

1 min read

କେନ୍ଦୁଝର: ପ୍ରସବ ବେଦନାରେ ଛଟପଟ ହେଉଛି ପ୍ରସୂତୀ ହାତୀ । ଚମ୍ପୁଆ ରେଞ୍ଜ, ଜାମୁଦଲକ, ବୈତରଣୀ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଦୃଶ୍ୟ । ଆଜି ପ୍ରତ୍ୟୁଷରୁ ଏହି ମାଈ ହାତୀଟି ପ୍ରସବ ବେଦନା ଲାଘବ ପରେ ଛୁଆ ଜନ୍ମ ଦେବାକୁ ଅନେକ ଚେଷ୍ଟା କରିଥିଲା । ୨୫ ଟିକିଆ ହାତୀପଲରେ ଥିବା ଏହି ମାଈ ହାତୀଟି ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ କେତେବେଳେ ତଳେ ଲୋଟି ଯାଉଥିଲା ତ ଆଉ କେତେବେଳେ ସେ ଏଣେ ତେଣେ ଧାଇଁ ଯାଉଥିଲା ।

ସେପଟେ ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ, ବନ କର୍ମଚାରୀ ଓ ବନ୍ୟଜନ୍ତୁ ଚିକିତ୍ସକଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେଣେ ହାତୀକୁ ଦେଖିବା ପାଇଁ ଆଖପାଖର ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ପୋଲିସ୍ ସେଠାରେ ପହଁଚି ଲୋକଙ୍କୁ ଦୂରେଇ ରଖିଥିଲେ । କେନ୍ଦୁଝରରୁ ବନ୍ୟଜନ୍ତୁ ବିଶେଷଜ୍ଞ ମଧ୍ୟ ସେଠାକୁ ଯାଇ ପ୍ରସୂତୀ ହାତୀ ଉପରେ ନଜର ରଖିଥିଲେ ।

ତେବେ ଦୀର୍ଘ ୬/୭ ଘଣ୍ଟା ଧରି ଯନ୍ତ୍ରଣା ଭୋଗିବା ପରେବି ହାତୀଟି ଛୁଆ ଜନ୍ମ କରିବାରେ ସକ୍ଷମ ହୋଇପାରିନଥିଲା । ହାତୀ ଶାବକର କେବଳ ଗୋଡ଼ ଦୁଇଟି ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା । ଦିନ ପାଖାପାଖି ୧.୩୦ ସମୟରେ ଅନ୍ୟ ହାତୀମାନେ ଆସି ଉକ୍ତ ମାଇ ହାତୀକୁ  ଘଞ୍ଚ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ତେବେ ପ୍ରସୂତୀ ହାତୀଟି ୨୫ ଟିକିଆ ହାତୀପଲରେ ଥିବାରୁ ସେମାନଙ୍କ ଉପରେ ନଜର ରଖିବା ଛଡା ବନବିଭାଗ ଅନ୍ୟ କିଛି ଉଦ୍ୟମ କରିପାରୁନାହିଁ  ।

Opn Commnet Area

Leave a Reply

Your email address will not be published. Required fields are marked *