ବେଙ୍ଗାଲୁରୁ: ପୁଣି ଅଡୁଆରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା । ମୁଡା ସ୍କାମରେ ଜଡିତ ଥାଇ ପ୍ରମାଣ ନଷ୍ଟ ଅଭିଯୋଗରେ ସିଦ୍ଦରମୈୟାଙ୍କ ବିରୋଧରେ ଏକ ସାନି ଅଭିଯୋଗ ଦାୟର ହୋଇଛି । ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ଜରିଆରେ ପତ୍ନୀଙ୍କ ନାମରେ ୧୪ଟି ପ୍ଲଟ କରିବା ଘଟଣାରେ ହରଡଘଣାରେ ପଡିଛନ୍ତି ମୁଖ୍ଯମନ୍ତ୍ରୀ ।
କେବଳ ସିଦ୍ଦରମୈୟା ନୁହନ୍ତି ତାଙ୍କ ପୁଅ ଯତୀନ୍ଦ୍ରଙ୍କ ନାମରେ ବି ଏତଲା ଦାୟର ହୋଇଛି । ଏହି ଦୁର୍ନୀତିରେ ପୁଅ ଯତୀନ୍ଦ୍ର ସାମିଲ ଥିବା ଅଭିଯୋଗ ହୋଇଛି । ସିଦ୍ଦରମୈୟା, ପତ୍ନୀ ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ବାମୀ ଓ ମଲ୍କିକାର୍ଜୁନ ଯାହାଠାରୁ ଜମି କ୍ରୟ କରିଥିଲେ ସେହି ବ୍ଯକ୍ତି ଦେବରାଜୁଙ୍କ ବିରୋଧରେ ଲୋକାୟୁକ୍ତ ଏଫଆଇଆର ଦାୟର କରିବାର କିଛି ଦିନ ପରେ ଏହି ସାନି ମାମଲା ଦାୟର ହୋଇଛି ।
ଦେବରାଜୁଙ୍କ ଠାରୁ ଜମି କ୍ରୟ କରି ଭଉଣୀ ପାର୍ବତୀଙ୍କୁ ସେହି ଜମି ଗିଫ୍ଟ ଦେଇଥିଲେ ମଲ୍ଲିକାର୍ଜୁନ । ଗତ ସେପ୍ଟେମ୍ବର ୨୫ରେ ମାମଲା ରୁଜୁ କରିବା ଲାଗି ଏକ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେବା ପରେ ମାମଲା ଦାୟର କରିଥିଲା ଲୋକାୟୁକ୍ତ ପୋଲିସ । ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ବା ଇସିଆଇଆର ମାମଲା ରୁଜୁ ହୋଇଥିଲା ।
୫୦-୫୦ ଅନୁପାତ ନିୟମ ଅନୁସାରେ ଅଣବିକଶିତ ଜମି ହରାଇଥିବା ବ୍ଯକ୍ତିଙ୍କୁ ସମପରିମାଣର ଜମି ବିକଶିତ ଅଞ୍ଚଳରେ ଦିଆଯିବ । ମହୀଶୂର ତାଲୁକ ଅନ୍ତର୍ଗତ କସବା ହୋବଲିର କାସାରେ ଗ୍ରାମରେ ପାର୍ବତୀଙ୍କ ନାମରେ ଥିବା ୩ ଏକର ୧୬ ଡିସିମିଲ ଜମିର ଆଇନଗତ ବୈଧତା ନଥିବା ଅଭିଯୋଗ ହୋଇଥିଲା । ତଥାପି ମୁଡା ନିୟମ ଅନୁସାରେ ତାଙ୍କୁ ସେହି ଜମି ବଦଳରେ ଅନ୍ଯ ବିକଶିତ ସ୍ଥାନରେ ଜମି ପ୍ରଦାନ କରାଯାଇଥିଲା ଯାହାର ଦାମ୍ ବହୁଗୁଣ ଅଧିକ । ସେପଟେ ଯଦି ସିଦ୍ଦରମୈୟା ଇସ୍ତଫା ଦିଅନ୍ତି ତେବେ କିଏ ହେବେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ ତାହାକୁ ନେଇ ବଢିଛି ଚର୍ଚ୍ଚା । ସିଦ୍ଦରମୈୟାଙ୍କ ଘନିଷ୍ଠ କୁହାଯାଉଥିବା ପୂର୍ତ୍ତମନ୍ତ୍ରୀ ସତୀଶ ଜାର୍କିହୋଲି, ଗୃହମନ୍ତ୍ରୀ ଡି. ପରମେଶ୍ବର ଓ ସମାଜ କଲ୍ଯାଣ ମନ୍ତ୍ରୀ ଏଚ.ସି. ମହାଦେବାପ୍ପାଙ୍କ ମଧ୍ଯରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ମନ୍ତ୍ରୀ ସତୀଶ ଗୁରୁବାର ଦିଲ୍ଲୀ ଯାଇଥିବା ଜଣାଯାଇଛି ।

