ଭୁବନେଶ୍ୱର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ଜିସିଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ୱାର୍ଲଡ ସ୍କିଲ୍ ସେଣ୍ଟରରେ ୩ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଖୁସି ବ୍ୟକ୍ତ କରିଛନ୍ତି । ଏହି ୨ଟି ଇଞ୍ଜିନିୟରିଂ କଲେଜ ଟେକ୍ ମହିନ୍ଦ୍ରା ଓ ଡାସୌଲ୍ଟ ସିଷ୍ଟମ ଇଣ୍ଡିଆ ସହ ୩ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି ।
ଏହି ଉତ୍କର୍ଷ କେନ୍ଦ୍ର ରାଜ୍ୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବ । ନୂଆ ଦିଗନ୍ତ ପ୍ରଦାନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତ୍କର୍ଷ କେନ୍ଦ୍ର ଶିକ୍ଷାର୍ଥୀଙ୍କୁ ନୂଆ ଜ୍ଞାନକୌଶଳ ସହ ଉନ୍ନତମାନର ପ୍ରଶିକ୍ଷଣ ପାଇବାରେ ସହାୟକ ହେବ । ରାଜ୍ୟର ଟାଲେଣ୍ଟ ପୁଲ୍ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହେବା ସହ ପରବର୍ତ୍ତୀ କାଳରେ ସାଇବର ସିକ୍ୟୁରିଟି ଓ କ୍ଲାଉଡ କମ୍ପ୍ୟୁଟିଂ ମାଧ୍ୟମରେ ତଥ୍ୟ ସୁରକ୍ଷିତ ରହିପାରିବ ।

