ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ସେପ୍ଟେମ୍ବର ୧୭ ତାରିଖରେ ମଙ୍ଗଳବାର ଦିନ ଭୋଟ ଗ୍ରହଣ କରାଯିବ। ୧୧ଟାରେ ସମୟ ଧାର୍ଯ୍ୟ କରାଯାଇଥିବା ଏନଏସି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ମଧ୍ୟ ସରଗରମ। ଅନାସ୍ଥା ସପକ୍ଷରେ ଓ ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେବାକୁ ବିଜେଡି ପକ୍ଷରୁ ଦଳୀୟ ହ୍ଵିପ ଜାରି କରାଯାଇଛି। ଏଥିପାଇଁ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଖଣ୍ଡପଡ଼ା ଏନଏସିର ମୋଟ ୧୩ ଜଣ କାଉନସିଲର ଅଛନ୍ତି। ବିଜେଡିର ୮, ବିଜେପିରୁ ଜଣେ ଏବଂ ୪ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ଏନ୍ଏସି ଅଧ୍ୟକ୍ଷା କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କରୁଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲରମାନେ।
ଗତ ଅଗଷ୍ଟ ୧ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ୮ ଜଣ କାଉନସିଲର। ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ କାଉନସିଲର୍ ସରୋଜ ପ୍ରଧାନ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ନୟାଗଡ଼ ଜିଲ୍ଲାପାଳଙ୍କୁ ସ୍ଥିତି ବାବଦରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେପ୍ଟେମ୍ବର ୧୭ରେ ଏନ୍ଏସିରେ ଅନାସ୍ଥା ଭୋଟ୍ କରାଯିବ ବୋଲି ସତ୍ୟପାଠ ଦାଖଲ କରିଥିଲା ନୟାଗଡ଼ ଜିଲ୍ଲାପ୍ରଶାସନ।

