ନିଜେ ବିଷ ଖାଇ ସ୍ତ୍ରୀ, ଛୁଆଙ୍କୁ ପ୍ରସାଦ କହି ବିଷ ଦେଇଦେଲା ସ୍ବାମୀ

ବାବାଙ୍କର ପ୍ରସାଦ କହି ପରିବାର ଲୋକଙ୍କୁ ବିଷ ଖୁଆଇଲେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ନିଜ ପରିବାର ସଦସ୍ୟଙ୍କୁ ଏହା ବାବାଙ୍କର ପ୍ରସାଦ , ଏହାକୁ ଖାଇଲେ କୁଆଡେ କୋରନା ହେବନି ବୋଲି କହିଥିଲେ । ପରିବାର ସଦସ୍ୟ କେହି ତାଙ୍କ କଥା ନ ମାନିବାରୁ ସେ ଜୋର୍ ଜବରଦସ୍ତ ସମସ୍ତଙ୍କୁ ବିଷ ମିଶା ପ୍ରସାଦ ଖୁଆଇଥିଲେ ଏବଂ ନିଜେ ମଧ୍ୟ ସେହି ପ୍ରସାଦ ଖାଇଥିଲେ । ଏଥିରେ ସେହି ବ୍ୟକ୍ତି ସମେତ ତାଙ୍କର ଗୋଟିଏ ଝିଅର ମୃତ୍ୟୁ ହୋଇଥିବା ବେଳେ  ସ୍ତ୍ରୀ ଓ ଆଉ ଗୋଟିଏ ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ଦୁର୍ଗ ଜିଲ୍ଲାର ଭିଲାଇ ଜାମୁଳ ଥାନା ଅଞ୍ଚଳରେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜାମୁଲ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି  ।

ସୂଚନାଅନୁସାରେ , ବୈଷ୍ଣବ ନଗର ବିଧାନସଭା ନିର୍ବାଚନମଣ୍ଡଳୀ ଓ୍ବାର୍ଡ ନମ୍ବର ୪ ର ଲକ୍ଷ୍ମୀପାରା ଜାମୁଲରେ ରହୁଥିବା ୪୦ ବର୍ଷୀୟ ହେମଲାଲ୍ ବର୍ମା ଭିଲାଇ ନଗର ନିଗମ ଅର୍ନ୍ତଗତ କୋହକାରେ  ପମ୍ପ ଅପରେଟର୍ ଭାବରେ କାମ କରନ୍ତି । ହେମଲାଲ୍ ଙ୍କ ଫ୍ଲାଟ୍ ର ତଳ ମହଲାରେ ତାଙ୍କ ବାପା, ମାଆ ରହୁଥିବା ବେଳେ ଉପର ମହଲାରେ ହେମଲାଲ୍ ତାଙ୍କ ସ୍ତ୍ରୀଏବଂ ଦୁଇ ଝିଅ ରହୁଥିଲେ  ।  ସୋମବାର ରାତି ୯ଟାରେ ହେମଲାଲ୍ ଡ୍ୟୁଟି ସାରି ଘରକୁ ଫେରିଥିଲେ  ।

ହେମଲାଲ୍ ଙ୍କ ସମ୍ପର୍କୀୟ ପୋଲିସ୍ କୁ କହିଥିଲେ କି, ରାତିରେ ଘରକୁ ଫେରିବା ପରେ ହେମଲାଲ୍ ପତ୍ନୀଙ୍କୁ କହିଥିଲା ତାକୁ କେଉଁ ଗୋଟେ ବାବା ପ୍ରସାଦ ଦେଇଛନ୍ତି  । ଏହି ପ୍ରସାଦକୁ ଖାଇଲେ  ଆଗକୁ କୋରନା ଏବଂ କରୋନା ମହାମାରୀ ପରି କିଛି ରୋଗ ହେବ ନାହିଁ  । ହେମଲାଲ୍ ଙ୍କ ପତ୍ନୀ ପ୍ରସାଦ ଖାଇବାକୁ ମନା କରିବାରୁ ସେ ଜୋର୍ ଜବରଦସ୍ତ ପ୍ରସାଦ ଖୁଆଇଥିଲେ । ଏହା ପରେ ବଡ ଝିଅ ପ୍ରିୟା ଏବଂ ସାନ ଝିଅ ମୁସ୍କାନ୍ କୁ ହେମଲାଲ୍ ପ୍ରସାଦ ଖାଇବାକୁ ଦେଇଥିଲେ । ନିଜେ ମଧ୍ୟ ସେହି ପ୍ରସାଦ ଖାଇଥିଲେ  । ରାତି ୧୧ ଟାରେ ସମସ୍ତେ ବାନ୍ତି କରି ଥିଲେ ।  ପରିସ୍ଥିତି ଗୁରୁତର ହେବାରୁ ହେମଲାଲ୍ ଙ୍କ ପତ୍ନୀ ସବୁ କଥା ଯାଇ ନିଜ ଶାଶୁ, ଶଶୁରଙ୍କୁ ଜଣେଇଥିଲେ । ଏହା ପରେ ସମ୍ପର୍କୀୟ ସେମାନଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ହସ୍ପିଟାଲ୍ ରେ ପହଞ୍ଚିବା କ୍ଷଣି ହେମଲାଲ୍ ଏବଂ ତାଙ୍କର ବଡ ଝିଅ ପ୍ରିୟାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ହେମଲାଲ୍ ଙ୍କ ପତ୍ନୀ ଏବଂ ତାଙ୍କ ସାନ ଝିଅ ଗୁରୁତର ଥିବା ଜଣାପଡିଛି  ।