ନିଉ ଇୟର ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ ଓ ଅବକାରୀ ବିଭାଗ

ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ୨ ବର୍ଷର କରୋନା କଟକଣା ପରେ ଏଥର ଜମିବ ଜିରୋ ନାଇଟ ସେଲିବ୍ରେସନ । ଧୁମଧାମରେ ନୂଆବର୍ଷ ପାଳନ କରିବେ ଲୋକ । ଏଥିପାଇଁ ଭୁବନେଶ୍ବରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହି ସମୟରେ କିଭଳି ଶାନ୍ତି ଶୃଙ୍ଖଳା ଅବଲମ୍ବନ କରାଯିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ କରିଛନ୍ତି ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ । ଆସନ୍ତା ସପ୍ତାହରୁ ବାର, ପବ୍, ହୋଟେଲରେ ଚେକିଂ ।
ଧୁମଧାମରେ କଟିବ ବଡ଼ଦିନ ଓ ନୂଆବର୍ଷ । ଦୁଇ ବର୍ଷ ପରେ ଜମିବ ଜିରୋ ନାଇଟ ସେଲିବ୍ରେସନ । ୨୦୨୩ କୁ ସ୍ବାଗତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ହୋଟେଲ, ପବ, ଡ୍ୟାନ୍ସ ବାର । ହେଲେ ଏମାନଙ୍କ ଉପରେ ଲଗାମ ଲଗାଇଛି ଅବକାରୀ ବିଭାଗ । ବର୍ତ୍ତମାନ ଅନୁମତି ନେଇ ରାତି ୧୨ ପରେ ଡ୍ୟାନ୍ସ ବାର ଓ ପବ ଖୋଲୁଥିବା ବେଳେ ୨୪ ତାରିଖରୁ ଜାନୁଆରୀ ୮ ପର୍ଯ୍ୟନ୍ତ ଏଥିରେ ରୋକ ଲାଗିବ ।
ଖିଲାପକାରୀଙ୍କୁ ଜଗିବ ଫ୍ଲାଇଂ ସ୍କାଡ୍ । ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । ସେପଟେ ଆଗକୁ ହକି ବିଶ୍ବକପ । ଏହାକୁ ନଜରରେ ରଖି ଭୁବନେଶ୍ବରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ରେ ଟୁଇନ ସିଟିରେ ପୁଲିସ ବ୍ୟାପକ ଭାବେ ପହରା ମାରିବ । ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରାଯାଇ ଚେକିଂ ହେବ । ଏହାସହ ପିକନିକ ପ୍ଲେସରେ ମଦ୍ୟପଙ୍କ ଉପଦ୍ରବ ରୋକିବା ପାଇଁ ପୋଲିସ କଡା ନଜର ରଖିବ ।