ସମ୍ୱଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଡ଼ା ସମାଲୋଚନା। ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୋଧରେ ବିଷୋଦଗାର କରୁଛନ୍ତି। ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ ବୋଲି ଭାବୁଛନ୍ତି କି ଧର୍ମେନ୍ଦ୍ର ପ୍ରଧାନ। ତେବେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ ଯେ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ। ସେହି ଜାଗାରେ ପୁଣିଥରେ ପୁରୁଣା ଜୋତା ଦୋକାନ, ହୋଟେଲ୍, ଲଜକୁ ଠିଆ କରିବେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଉଥିବା କାର୍ଯ୍ୟକୁ ମଧ୍ୟ ଭାଙ୍ଗି ଦେବେ ବୋଲି ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ କେନ୍ଦ୍ରମନ୍ତ୍ରୀ।
ସମାନ ଭାବରେ ମା’ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି ବୋଲି କହିଛନ୍ତି ପ୍ରଣବ। ମା’ ସମଲେଇଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା’ ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି ଧର୍ମେନ୍ଦ୍ର। ଏହି ଦୁଇଟି ଆଧ୍ୟାତ୍ମିକ ସ୍ଥାନର ସୌନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ରଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ ଥିବା କଥା ଆଉ କାହାକୁ ଅଛପା ନାହିଁ ବୋଲି କହିଛନ୍ତି ପ୍ରଣବ। ଯଦି ସତ୍ ସାହାସ ଅଛି, ତେବେ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ କାର୍ଯ୍ୟକୁ ବନ୍ଦ କରିଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରନ୍ତୁ। ଏହାପରେ, ଓଡ଼ିଶାବାସୀ ତାଙ୍କୁ ଯେଉଁ ଜବାବ ଦେବେ ତାହା ଧର୍ମେନ୍ଦ୍ର କେବେ ଭୁଲି ପାରିବେ ନାହିଁ କହିଛନ୍ତି ପ୍ରଣବ।

