spot_img

Latest Posts

ଦରଦାମ ବୃଦ୍ଧି ଯୋଗୁ କମିଲାଣି ଲୋକଙ୍କ କ୍ରୟ ଶକ୍ତି

ଭୁବନେଶ୍ବର: ଦରଦାମ ବୃଦ୍ଧି ଯୋଗୁ କମିଲାଣି ଲୋକଙ୍କ କ୍ରୟ ଶକ୍ତି। ଚଳିତବର୍ଷ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବାକୁ ଯାଉଛି । ପ୍ରଭାବିତ ହେବାକୁ ଯାଉଛି FMCG ଉତ୍ପାଦନର ବିକ୍ରିବଟା । ଖାଦ୍ୟ ଦର ମହଙ୍ଗା ନେଇ ଖୋଦ ରିଜର୍ଭ ବ୍ୟାଙ୍କ ଉଦବେଗ ପ୍ରକାଶ କରୁଥିଲେ ବି ବେଫିକର କେନ୍ଦ୍ର ସରକାର। ଏପରି ଧାରା ଜାରି ରହିଲେ ଦେଶର ଅଭିବୃଦ୍ଧି କମିବା ସହ ବେକାରୀ ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବିଗିଡ଼ିଲାଣି ବଜାର ସ୍ଥିତି । ମହଙ୍ଗା ମାଡ଼ରେ ଘାଇଲା ଲୋକେ । କମିଲାଣି ଲୋକଙ୍କ କ୍ରୟ ଶକ୍ତି। ଅନ୍ତରାଷ୍ଟ୍ରୀୟ ବଜାର ସମୀକ୍ଷାର ଏ ରିପୋର୍ଟ। ଚଳିତବର୍ଷ ତେଲ, ସାବୁନ, ଖାଦ୍ୟ ସାମଗ୍ରୀ ପରି ଏଫ୍ଏମ୍ସିଜି ଉତ୍ପାଦ କିଣିବାକୁ ଲୋକଙ୍କ ପାଖରେ ଅର୍ଥର ଅଭାବ ଘଟିବ। ଗତବର୍ଷ ଏଫଏମ୍ସିଜି ଉତ୍ପାଦନ ବିକ୍ରିବଟା ମୋଟ କାରବାରର ୯.୩ ପ୍ରତିଶତ ଥିଲା । ଏଥରକ ୪.୫ ପ୍ରତିଶତରୁ ୬.୫ ପ୍ରତିଶତରେ ସୀମିତ ରହିବ। ଦେଶରେ ଖାଦ୍ୟ ସାମଗ୍ରୀ ଦର ମହଙ୍ଗା ରହୁଥିବା ସହ ଦରଦାମ କମୁନି ବୋଲି ରିଜର୍ଭ ବ୍ୟାଙ୍କ ଏକାଧିକ ଥର କହିଲାଣି। ହେଲେ ସବୁ ଠିକ୍ ଅଛି ବୋଲି କେନ୍ଦ୍ର ଡିଣ୍ଡିମ ପିଟୁଛି । ନିଯୁକ୍ତି ସଂକୁଚିତ ହେଉଥିବାରୁ ବେକାରୀ ବଢୁଛି। ବଜାରଦର ଯେଉଁ ହାରରେ ବଢ଼ୁଛି ଲୋକଙ୍କ ରୋଜଗାର ସେଇ ହାରରେ ବଢ଼ୁନାହିଁ । ଚାକିରିଆଙ୍କ ଦରମା ବି ମୁଦ୍ରାସ୍ଫୀତି ମୁକାବିଲା କଲାଭଳି ବଢୁନାହିଁ । ଏଫ୍ଏମ୍ସିଜି ଉତ୍ପାଦର ବିକ୍ରି ହ୍ରାସ ଘଟିଲେ ବଡ଼ ବଡ଼ କର୍ପୋରେଟ୍ ଗୋଦାମରେ ଆବଶ୍ୟକ ତୁଳନାରେ ଉତ୍ପାଦ ବିକ୍ରି ନ ହୋଇ ପଡ଼ି ରହିବ । ଉତ୍ପାଦନ ବାଧାପ୍ରାପ୍ତ ସହ କୃଷି ଉତ୍ପାଦ କଞ୍ଚାମାଲ ବିକ୍ରି ହେବନି । ଯାହା ଫଳରେ ଚାଷୀ ବି କ୍ଷତି ସହିବେ।

ଦେଶର ସ୍ଥୁଳ ଅର୍ଥନୀତି କେବେଠୁ ବିଗିଡିଲାଣି। ଅଭିବୃଦ୍ଧି ହାର ଧାର୍ଯ୍ୟ ଲକ୍ଷ୍ୟ ପୂରା କରିପାରୁନି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ଯୋଗୁ ଲୋକମାନେ ଅଧିକ ଟିକସ ଗଣୁଛନ୍ତି । ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରୁନାହାନ୍ତି କେନ୍ଦ୍ର ସରକାର। ଅଶୋଧିତ ତୈଳ ଦର କମ ଯୋଗୁ ଲକ୍ଷାଧିକ କୋଟି ଟଙ୍କା ତୈଳ ବିପଣନ କମ୍ପାନୀ ଲାଭ କରିଆସୁଛନ୍ତି। ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରି ଲୋକଙ୍କୁ ଏହାର ଲାଭ ଦେଉନାହାନ୍ତି କେନ୍ଦ୍ର ସରକାରଙ୍କ ସହ ତୈଳ କମ୍ପାନୀ। ରୋଜଗାର ସଂକୁଚିତ ହେଉଥିବାରୁ ଲୋକଙ୍କ କ୍ରୟ ଶକ୍ତି କମି କମି ଯାଉଛି । ଏହା ଦେଶର ଆର୍ଥିକ ସ୍ଥିତିକୁ ଆହୁରି ବିଗାଡିବା ଆକଳନ କରିଛନ୍ତି ଅର୍ଥନୀତି ସମୀକ୍ଷକ।

ଏଫ୍ଏମ୍ସିଜି ଉତ୍ପାଦର ବିକ୍ରିବଟା କେବଳ ସହରାଞ୍ଚଳରେ ପ୍ରଭାବିତ ହୋଇନି । ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ମହଙ୍ଗା ଯୋଗୁ ଗ୍ରାମାଞ୍ଚଳରେ ବି ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିନାହାନ୍ତି। ବଜାରର ଏପରି ସ୍ଥିତି ଏବେ ସମସ୍ତଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।

Latest Posts

Don't Miss