ଭୂବନେଶ୍ୱର: ସାରା ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଜାଡ଼ର ମାଡ଼ରେ ଥରୁଛି ଓଡ଼ିଶା । ୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସହ କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ପଡ଼ିପାରେ । ବର୍ଷା କମିବା ପରେ ପୁଣି ବଢ଼ିବ ଶୀତ ପ୍ରକୋପ । ତେବେ ୧୩ଟି ଜିଲ୍ଲାକୁ କୋଲ୍ଡ ଓ୍ବେଭ ପାଇଁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣିଂ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଶୀତରୁ ରକ୍ଷା ପାଇଁ ଲୋକ ନିଆଁର ଆଶ୍ରୟ ନେଉଛନ୍ତି । ସୋନପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଏବଂ ରାଉରକେଲା ଭଳି ସହରରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ-ଜୀବନ । ଶିମିଳିପାଳରେ ହେଉଛି ତୁଷାରପାତ । ଅସହାୟ ଓ ବାସହରାଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି ।
ସେହିପରି ଅସହ୍ୟ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା । ରାତି ପାହିଲେ ବଢ଼ୁଛି ଥଣ୍ଡା, ତା ସାଙ୍ଗକୁ ସକାଳୁ ସକାଳୁ ଥଣ୍ଡା ପବନ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ବିଗତ ବର୍ଷ ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏଥର ପାରଦ ଖସିବା ରେକର୍ଡ କରିଛି । ସେପଟେ ପ୍ରବଳ ଜାଡ଼ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଗତ ଦୁଇ ଦିନ ମଧ୍ୟରେ ପାରଦ ୪ ଓ ୩ ଡିଗ୍ରୀରେ ପହଞ୍ଚି ଥିବା ବେଳେ ଓଡ଼ିଶାରେ ରେକର୍ଡ କରିଛି ସୁବର୍ଣ୍ଣପୁର ଜିଲ୍ଲା । ଚଳିତବର୍ଷ ଏଠାକାର ଶୀତ ଦାରିଙ୍ଗବାଡ଼ିକୁ ପଛରେ ପକାଇଛି ।

