ତାଲିବାନର ବର୍ବରତା: ଖାଦ୍ୟ ପସନ୍ଦ ନଆସିବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ହତ୍ୟା

କାବୁଲ: ଆଫଗାନିସ୍ତାନ କବଜା ପରେ ରକ୍ତ ମୁଖା ହୋଇଛି ତାଲିବାନ୍ । ଯିଏ ବି ତାଲିବାନ ବିରୋଧରେ ସ୍ୱର ଉଠାଉଛି ତା ଉପରେ ହେଉଛି ଆକ୍ରମଣ । ଆତଙ୍କବାଦୀମାନେ ବିଶେଷ କରି ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ଏମିତିକି ତାଲିବାନ ଆତଙ୍କୀଙ୍କ ପାଇଁ ଜଣେ ମହିଳାଙ୍କ ଦ୍ୱାରା ରନ୍ଧା ଯାଇଥିବା ଖାଦ୍ୟ ସେମାନଙ୍କୁ ପସନ୍ଦ ନଆସିବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଛି । ଆମେରିକାର ସୈନ୍ୟବାହିନୀ ଏବଂ ଆଶରଫ୍ ଗନି ସରକାରଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ତାଲିବାନୀ ମାନେ ଘର ଘର ବୁଲି ଖୋଜୁଛନ୍ତି । ଏହି ସମୟରେ କିଛି ଆତଙ୍କବାଦୀ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ରୋଷେଇ କରିବାକୁ କହିଥିଲେ ।

ବ୍ରିଟିଶ ଖବର କାଗଜ ‘ଦ ସନ୍’ରେ ପ୍ରକାଶିତ ଖବର ଅନୁଯାୟୀ, ତାଲିବାନଙ୍କ ନିର୍ଦ୍ଦେଶରେ ମହିଳାମାନେ ଖାଦ୍ୟ ରାନ୍ଧିଥିଲେ, କିନ୍ତୁ ତାଲିବାନୀଙ୍କୁ ଏହାର ସ୍ୱାଦ ପସନ୍ଦ କରିନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତାଲିବାନୀମାନେ ଉକ୍ତ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିଥିଲେ । ଆଫଗାନିସ୍ତାନର ପୂର୍ବତନ ବିଚାରପତି ତଥା ମହିଳା ଅଧିକାର ଅଭିଯାନ ‘Every Woman Treaty’ ର ମୁଖ୍ୟ ନଜଲା ଆୟୁବୀ କହିଛନ୍ତି ଯେ, ତାଲିବାନ ଖାଦ୍ୟକୁ ପସନ୍ଦ କରୁ ନ ଥିବାରୁ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିଥିଲା ।

ନଜଲା ଆୟୁବୀ କହିଛନ୍ତି ଯେ ପ୍ରତିଦିନ ଆଫଗାନିସ୍ତାନରୁ କିଛି ଭୟଙ୍କର ଖବର ଆସୁଛି । ଆତଙ୍କବାଦୀମାନେ ମହିଳାଙ୍କୁ ହଇରାଣ କରୁଛନ୍ତି । ସେମାନେ ଘରକୁ ଘର ଯାଉଛନ୍ତି ଏବଂ ସେମାନଙ୍କୁ ନିଜ ପାଇଁ ଖାଦ୍ୟ ରାନ୍ଧିବାକୁ ବାଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ, ସେମାନେ ଆଫଗାନିସ୍ତାନରୁ ରାସନ ମଧ୍ୟ ଲୁଟ କରୁଛନ୍ତି । ଆୟୁବୀ କହିଛନ୍ତି ଯେ, କିଛିଦିନ ତଳେ କଫିନରେ ବହୁ ସଂଖ୍ୟକ ଯୁବତୀଙ୍କୁ ତାଲିବାନ ଚାଲାଣ କରିବା ଆରମ୍ଭ କରିଛି । ଅତି ଦୟନୀୟ ଅବସ୍ଥାରେ ସେମାନଙ୍କୁ ପଡୋଶୀ ଦେଶକୁ ଯୌନଦାସୀ ଭାବେ ଚାଲାଣ କରାଯାଉଛି । ଏହା ସହ ଆତଙ୍କବାଦୀଙ୍କ ସହ ଝିଅମାନଙ୍କୁ ବିବାହ ଦେବା ଲାଗି ପରିବାରଗୁଡିକୁ ତାଲିବାନ ବାଧ୍ୟ କରୁଥିବା ଜଣାଯାଇଛି । ତାଲିବାନ ଆତଙ୍କବାଦୀ ମାନେ କିଶୋରୀ ଏବଂ ଯୁବତୀଙ୍କୁ ଜୋର୍ ଜବରଦସ୍ତ ଉଠାଇ ନେଇ ସେମାନଙ୍କୁ ବିବାହ କରୁଛନ୍ତି ଏବଂ ଯୌନ ନିର୍ଯାତନା ଦେଉଛନ୍ତି ।

ସୂଚନା ଅନୁଯାୟୀ ତାଲିବାନ କାବୁଲକୁ ଦଖଲ କରିବା ପରଠାରୁ ବହୁ ସଂଖ୍ୟକ ଲୋକ ବିମାନବନ୍ଦରରେ ପହଞ୍ଚିଛନ୍ତି, ଯାହା ଦ୍ୱାରା ସେମାନେ ଦେଶ ବାହାରକୁ ଯାଇପାରିବେ । ବିଶେଷକରି ମହିଳାମାନେ ଯଥାଶୀଘ୍ର ଆଫଗାନିସ୍ତାନରୁ ବାହାରି ଯିବାକୁ ଚାହୁଛନ୍ତି । ତାଲିବାନର ପୂର୍ବ ନିର୍ଦ୍ଦୟ ଶାସନକୁ ସେମାନେ ଭୁଲି ନାହାଁନ୍ତି । ତେଣୁ ନିଜ ଜୀବନ ବଞ୍ଚାଇବା ପାଇଁ ମହିଳାମାନେ ଅତିଶୀଘ୍ର ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି ।

Leave a Reply