ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ: ଡ୍ରାଇଭର ରଚିଥିଲେ ଅପହରଣ ନାଟକ, ପର୍ଦ୍ଦାଫାଶ କଲା ପୋଲିସ

ବ୍ରହ୍ମପୁର: ବଡ଼ବଜାର ଅଞ୍ଚଳ ଆକ୍ସିସ ବ୍ୟାଙ୍କ ନିକଟରୁ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଗାଡି ଡ୍ରାଇଭର ଆଶିଷ ଦିଗାଲ ହିଁ ନିଜେ ରଚିଥିଲେ ଅପହରଣ ନାଟକ । ତାଙ୍କ ଘର ଫୁଲବାଣୀ, ମାଟିତଳେ ଲୁଚାଇ ରଖିଥିଲେ ଟଙ୍କା । ଏକ ପ୍ଲାଷ୍ଟିକ ଡବା ଭିତରେ ୨୧ ଲକ୍ଷ ଟଙ୍କା ଲୁଚାଇରଖିଥିଲେ । ଯାହାକୁ ଉଦ୍ଧାର କରିଛି ପୋଲିସ ।

ମାଟିତଳୁ ପୋଲିସ ଟଙ୍କା ଭର୍ତ୍ତି ଡବା ଉଦ୍ଧାର କରିଛି । ଡବା ଭିତରେ ପୁଳା ପୁଳା ଟଙ୍କା ଜବତ କରାଯାଇଛି । ପୋଲିସ ପ୍ରଥମ ଦିନରୁ ହିଁ ଡ୍ରାଇଭର ଉପରେ ସନ୍ଦେହ କରି ଆସୁଥିଲା । ଘଟଣାରେ ଆଜି ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ 3 ସହଯୋଗୀଙ୍କୁ ପୋଲିସ ବାହାର ଜିଲ୍ଲାରୁ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ 21 ଲକ୍ଷ ଟଙ୍କା ଜବତ କରିଛି । ଗତକାଲି ପୋଲିସର ଏକ ଟିମ୍‌ ଗଞ୍ଜାମର ପଡୋଶୀ ଜିଲ୍ଲାକୁ ଯାଇ ଏହି ସଫଳତା ପାଇଛି ।

ଡ୍ରାଇଭରକୁ ଲଗାତାର ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ପରେ ଅସ୍ତବ୍ୟସ୍ତ ହୋଇ ପୋଲିସ ନିକଟରେ ସତକଥା କହିବାକୁ ବାଧ୍ୟ ହୋଇଛି । 3 ଦିନ ତଳେ ଟଙ୍କା ଭର୍ତ୍ତି ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ AGS କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା । ତେବେ ଡ୍ରାଇଭର ନିଜେ ଅପହରଣ ନାଟକ କରିଥିବା ପୋଲିସ ଆଗରେ ମାନିଛି ।…

Leave a Reply