ନୂଆଦିଲ୍ଲୀ: ଜଜଙ୍କୁ ହରାଇଲେ ପ୍ରତିଯୋଗୀ । ଜଜ ମାରିଲେ ଚିତପଟାଙ୍ଗ । ପ୍ରତିଯାେଗୀ ହେବେ ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ସିଦ୍ଧୁଙ୍କ ସିଏମ୍ କୁର୍ସିରେ ବସିବାର ସ୍ୱପ୍ନକୁ ଝାମ୍ପି ନେଇଛନ୍ତି ଭଗଓ୍ବନ୍ତ । ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଯେଉଁ କସରତ ସିଦ୍ଧୁ କରିଥିଲେ ସେଥିରେ ବିରାମ ଲଗାଇଛନ୍ତି ଆପ୍ ର ପ୍ରାର୍ଥୀ ଭଗୱନ୍ତ ମାନ୍ । ପଞ୍ଜାବରେ ଆପର ବହୁମତ ପରେ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭଗୱନ୍ତ ମାନ୍ । ବିପକ୍ଷରେ ଥିବା ଅନେକ ହେବିୱେଟଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ଗାଦି ମୁହାଁ ହୋଇଛନ୍ତି ଭଗୱନ୍ତ । ଏକାକୀ ଆପ୍ ବହୁମତ ସହ ସରକାର ଗଢିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍ । ତେବେ ଭଗୱନ୍ତଙ୍କ ବିଜୟ ଓ ସିଦ୍ଧୁଙ୍କ ପରାଜୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ତେବେ ଭଗୱନ୍ତ ଓ ସିଦ୍ଧୁ ସମ୍ପର୍କ ନୂଆ ନୁହେଁ । କେବଳ ରାଜନୀତିକ ମୈଦାନ ନୁହେଁ ଏହା ପୂର୍ବରୁ କମେଡି ଶୋ’ରେ ମଧ୍ୟ ନଜର ଆସି ସାରିଛନ୍ତି ଏମାନେ । ରାଜନୀତିକୁ ଆସିବା ପୂର୍ବରୁ ବିଭିନ୍ନ କମେଡି ସୋ’ରେ ପ୍ରତିଯୋଗୀ ଭାବେ ଆସୁଥିଲେ ଭଗୱନ୍ତ । ଆଉ ସେହି ସୋ’ରେ ଜଜ୍ ବା ବିଚାରପତି ଥିଲେ ସିଦ୍ଧୁ । ତେବେ ଉଭୟ ଭଗୱନ୍ତ ଓ ସିଦ୍ଧୁଙ୍କୁ ଅନେକ କମେଡି ସୋ’ ଏକାଠି ଦେଖିବାକୁ ମିଳିଛି । ୨୦୦୫ରେ ଯେତେବେଳେ କମେଡି ସୋ’ ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ଆସୁଥିଲା ସେତେବେଳେ ଏହି ସୋ’ର ବିଚାରକ ଥିଲେ ସିଦ୍ଧୁ ଓ ପ୍ରତିଯୋଗୀ ଥିଲେ ଭଗୱନ୍ତ । ଏହି ସୋରେ କମେଡିଆନ୍ ମାନ, ରାଜନୀତି ଓ ଗଭର୍ଣ୍ଣମେଣ୍ଟ ସଂପର୍କର୍ରେ ଯାହା କହିଥିଲେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଯେଉଁ ଆଶାରେ ସିଦ୍ଧୁ କଂଗ୍ରେସର ହାତ ଧରିଥିଲେ ଏବେ ସେହି ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଯାଉଛନ୍ତି ଭଗୱନ୍ତ । ଆଉ ଏହାକୁ ନେଇ ଲୋକେ ସିଦ୍ଧୁଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଉନାହାନ୍ତି । କିଛି ୟୁଜର୍ସ କହିଛନ୍ତି, ସିଦ୍ଧୁଙ୍କର ଅବସର ବୟସ ଆସିଗଲାଣି । ସେ ଏବେ କପିଲ ଶର୍ମାଙ୍କ ଶୋ’ରେ ନଜର ଆସିବେ କିନ୍ତୁ ଦ କପିଲ ଶର୍ମା ସୋ’କୁ ଫେରିବା ବାଟ ମଧ୍ୟ ବନ୍ଦ ହୋଇଛି । ପାକିସ୍ତାନ ବାବଦରେ ସିଦ୍ଧୁ ଦେଇଥିବା ବୟାନକୁ ନେଇ ସିନେ ଓ ଟେଲିଭିଜନ ଇଣ୍ଡଷ୍ଟ୍ରି ତାଙ୍କ ଉପରେ କଟକଣା ଲଗାଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭଳି କମେଡିଆନରୁ ଏବେ ପଞ୍ଜାବର ଶାସନ ମୁଖ୍ୟ ହେବାକୁ ଯାଉଥିବା ମାନ୍ କିନ୍ତୁ ରଚିଛନ୍ତି ରାଜନୀତିର ନୂଆ ଇତିହାସ ।

